ଗଣକବି ଥିଲେ କ୍ରାନ୍ତିଦ୍ରଷ୍ଟା ସାରସ୍ୱତ ସାଧକ

ରାଜ୍ୟ
Spread the love

କଟକ  : କଟକ ଯୋବ୍ରାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସାରସ୍ୱତ ସେବାମଞ୍ଚ ମାହାଙ୍ଗା ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଯୋବ୍ରାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସାହିତ୍ୟ ସଭାରେ ଡକ୍ଟର ଭାବଗ୍ରାହୀ ରାଉତ ଅଧ୍ୟକ୍ଷତା କରିଥିଲେ।

ଏହି ସାରସ୍ୱତ ଉତ୍ସବକୁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ବିଶିଷ୍ଟ ସମାଜସେବୀ ବ୍ରଜେନ୍ଦ୍ର ରାୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ଗଣକବିଙ୍କ ସାହିତ୍ୟକୁ ନୂତନ ପିଢ଼ିର ଛାତ୍ରଛାତ୍ରୀ ଓ ଯୁବସମାଜଙ୍କ ନିକଟତର କରିବା ପାଇଁ ବ୍ୟାପକ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ ନିଜ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ। ଗଣକବି ଜଣେ କ୍ରାନ୍ତିଦ୍ରଷ୍ଟା ପୁରୁଷ ଥିଲେ ଏବଂ ତାଙ୍କ ନାଟକରେ ଖଟିଖିଆ, ମେହେନତି ମଣିଷଙ୍କ ଜୀବନର ବାସ୍ତବ ଚିତ୍ର ନିଖୁଣ ଭାବେ ପ୍ରତିଫଳିତ ହୋଇପାରିଛି ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଂସ୍କୃତି ଗବେଷକ ପ୍ରଫେସର ଡକ୍ଟର ଅଜୟ କୁମାର ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି ଯୋଗଦେଇ ଗଣକବିଙ୍କ କାଳଜୟୀ ସାହିତ୍ୟକୁ ଜାତିର ଅମୂଲ୍ୟ ସମ୍ପଦ ବୋଲି ଅଭିହିତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପିକା ଡକ୍ଟର ବିଜୟାଲକ୍ଷ୍ମୀ ଦାଶ ଯୋଗଦେଇ ବୈଷ୍ଣବ ପାଣିଙ୍କୁ ଜଣେ ଯୁଗାନ୍ତକାରୀ ମାନବବାଦୀ କବି ବୋଲି ବର୍ଣ୍ଣନା କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଡକ୍ଟର ଜ୍ଞାନଗୁରୁ ଦାସ ପାଣି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରତାପ ସାହୁ, ସାମ୍ବାଦିକ ଦୀପକ ମଙ୍ଗରାଜ ଏବଂ ସାମ୍ବାଦିକ ପ୍ରଦୀପ ନାୟକ କାର୍ଯ୍ୟକ୍ରମରେ ସାମିଲ ହୋଇ ଗଣକବିଙ୍କ ପ୍ରତିଛବିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶିଶୁମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଏବଂ ବିଦ୍ୟାର୍ଥୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *