ଭୁବନେଶ୍ୱର, ୦୫/୧୧: ବାତ୍ୟା ‘ମୁରାସୁ’ କ୍ରମଶଃ ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଗୁରୁବାର ରାତି ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ରହିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବୁଧବାର ହାଲୁକାରୁ ସ୍ୱଳ୍ପ ଧରଣର ବର୍ଷା ରେକର୍ଡ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ପ୍ରକାର ଭାରୀ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ ଏହି ସମୟ ମଧ୍ୟରେ ପ୍ରତିଦିନ କିଛି କିଛି ସ୍ଥାନରେ ବିକ୍ଷିପ୍ତ ଭାବେ ବର୍ଷା ହୋଇପାରେ। ବିଶେଷ କରି କଟକ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତ ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।
ସେହିପରି ନଭେମ୍ବର ୬ ଓ ୭ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ ସମେତ ଏହାର ପାର୍ଶ୍ୱବର୍ତ୍ତୀ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ତେବେ ୮ ତାରିଖ ପରଠାରୁ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ବୋଲି ବିଭାଗ ସୂଚନା ଦେଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହାପରେ ପରବର୍ତ୍ତୀ ୫ ଦିନ ମଧ୍ୟରେ ରାତ୍ରିକାଳୀନ ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବା ସହିତ ରାଜ୍ୟବ୍ୟାପୀ ଶୀତର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବ।
