ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ପରିବହନ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାର ନୂତନ ଉପକୂଳ ରାଜପଥ (Coastal Highway) ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।
ନୂତନ ନିଷ୍ପତ୍ତି ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱରରୁ ଜଗତସିଂହପୁର ଜିଲ୍ଲାର ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୧୬୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାଜପଥ ନିର୍ମାଣ ହେବ। ଏହି ମେଗା ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୮,୩୦୦.୭୯ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ରାଜପଥ ଓଡ଼ିଶାର ଚାରୋଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଯଥା— ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଦେଇ ଗତି କରିବ।
ଏହି ପ୍ରକଳ୍ପଟି ୧୬ ନମ୍ବର ଜାତୀୟ ରାଜପଥ ‘ସ୍ୱର୍ଣ୍ଣ ଚତୁର୍ଭୁଜ’ର ଏକ ଅଂଶ ଭାବେ କାର୍ଯ୍ୟ କରିବ। ପୂର୍ବରୁ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଭଳି ପ୍ରମୁଖ ସହର ଦେଇ ଏକ ୬-ଲେନ୍ ବିଶିଷ୍ଟ ରାଜପଥ ରହିଥିବା ବେଳେ, ଏହି ନୂଆ ଉପକୂଳ ରାଜପଥ ସମୁଦ୍ରକୂଳିଆ ଅଞ୍ଚଳରେ ଯୋଗାଯୋଗକୁ ଅଧିକ ସହଜ କରିବ। ସେହିଭଳି ଜାତୀୟ ରାଜପଥ ୨୧୬, ଯାହା ଭୁବନେଶ୍ୱରରୁ ପୁରୀକୁ ସଂଯୋଗ କରୁଛି, ତାହା ପୂର୍ବରୁ ସାତପଡ଼ା ଏବଂ କୋଣାର୍କ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇସାରିଛି।
ଏହି ଉପକୂଳ ରାଜପଥ ନିର୍ମାଣ ହେବା ଫଳରେ ଓଡ଼ିଶାର ପର୍ଯ୍ୟଟନ, ବାଣିଜ୍ୟ ଏବଂ ସାମଗ୍ରିକ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିବ। ବିଶେଷ କରି ପାରାଦୀପ ବନ୍ଦର ସହିତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ସିଧାସଳଖ ସଂଯୋଗୀକରଣ ରାଜ୍ୟର ଶିଳ୍ପ ଓ ବ୍ୟବସାୟିକ କାରବାରକୁ ତ୍ୱରାନ୍ୱିତ କରିବ। ଏହି ପ୍ରକଳ୍ପ ଓଡ଼ିଶାର ବିକାଶ ଧାରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
