ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ବନ୍ୟା ପ୍ରଭାବିତ ଜିଲ୍ଲାରେ ନ ବଢୁ ଦର, ଯୋଗାଣ ହେଉ ସ୍ଵଭାବିକ

ରାଜ୍ୟ
Spread the love

ଭୁବନେଶ୍ଵର: ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ଓ ଏହାର ସହଜ ଉପଲବ୍ଧତା ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋଚନା ହୋଇଛି ।
ଏହି ସମୀକ୍ଷା ବୈଠକରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବିଭାଗୀୟ ପ୍ରମୁଖ ଅଧିକାରୀଙ୍କ ସମେତ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ସମସ୍ତ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ସହଜ ଉପଲବ୍ଧତା ଓ ଏହାର ଦରଦାମ ବୃଦ୍ଧି ନିୟନ୍ତ୍ରଣ ଉପରେ ସବିଶେଷ ଆଲୋଚନା ହୋଇଛି। ଏଥିପ୍ରତି ସଜାଗ ରହିବାକୁ ଯୋଗାଣ ଅଧିକାରୀ ମାନଙ୍କୁ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ପଡିଲେ ଏ ସଂକ୍ରାନ୍ତୀୟ ଅଭିଯୋଗ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସହ ଚଢ଼ାଉ ଜୋରଦାର କରିବାକୁ କୁହାଯାଇଛି ।
ଏତଦବ୍ୟତୀତ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଗତ ଏପ୍ରିଲ-ମଇ-ଜୁନ ମାସର ଚାଉଳ କୋଟା ସହ, ଜୁଲାଇ ଓ ଅଗଷ୍ଟ ମାସର ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାଗୁଡ଼ିକର ଚାଉଳ କୋଟା ତଥା ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ମାସର କିରାସିନି କୋଟାର ସମେୟାଚିତ ଉଠାଣ ଏବଂ ବଣ୍ଟନ ଉପରେ ସବିଶେଷ ସମୀକ୍ଷା କରଯାଇଥିଲା । ଉପରୋକ୍ତ ଚାଉଳ କୋଟା, କିରାସିନି କୋଟା ଗୁଡ଼ିକ ଯେପରି ଆସନ୍ତା ୧୫ ଅଗଷ୍ଟ ମଧ୍ୟରେ ଉଠାଣ ତଥା ବଣ୍ଟନ କାର୍ଯ୍ୟ ଶେଷ କରାଯିବ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଯୋଗାଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *