କଟକ, ୪/୧୧: କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪୨ ମୌଜାର ଦଧିବାମନପୁର ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ତଥା ଉଦ୍ଘାଟନ କାର୍ଯ୍ୟକ୍ରମ କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ଭିତ୍ତିଭୂମିର ସାମଗ୍ରିକ ବିକାଶ ତଥା ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ପ୍ରାୟ ୯୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏହିସବୁ ପ୍ରକଳ୍ପ ହାତକୁ ନିଆଯାଇଛି।
ଏହି ଅବସରରେ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିବା ବେଳେ ସୁଦର୍ଶନ ମହାବିଦ୍ୟାଳୟ ପରିସରରେ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ଶ୍ରେଣୀଗୃହ ଲୋକାର୍ପିତ ତଥା ଉଦ୍ଘାଟିତ ହୋଇଥିଲା। ସେହିପରି ବଉଳକୁଦ ଅଙ୍ଗନବାଡ଼ି କେନ୍ଦ୍ର, ବହଳପଡ଼ା ଭୋଇସାହି ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସାମଲସାହି ଅଙ୍ଗନବାଡ଼ି କେନ୍ଦ୍ରର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ତିନୋଟି କେନ୍ଦ୍ର ମଧ୍ୟରୁ ପ୍ରତ୍ୟେକ ପ୍ରକଳ୍ପ ପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ଅଟକଳ ହୋଇଥିବା ଜଣାପଡ଼ିଛି। ଏଥିସହ ବହଳପଡ଼ା ଗୋପେଶ୍ୱରଙ୍କ କମ୍ୟୁନିଟି ସେଣ୍ଟର ଏବଂ ଦଧିବାମନପୁର ଭୂଆଷୁଣୀ କମ୍ୟୁନିଟି ସେଣ୍ଟରର ମଧ୍ୟ ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ଦୁଇଟି କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ପ୍ରତ୍ୟେକଟି ପାଇଁ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ବ୍ୟୟ ଅଟକଳ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ କଟକ ସଦର ବିଡିଓ ପ୍ରତୀକ ସାହୁ, ଅଧୀକ୍ଷଣ ଯନ୍ତ୍ରୀ ଶୁଭସ୍ମିତା ନାଥ, କନିଷ୍ଠ ଯନ୍ତ୍ରୀ ସମରେନ୍ଦୁ ସାମନ୍ତରାୟ, କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଗା ପ୍ରସାଦ ମହାପାତ୍ର, ଏଡିଓ ବିଶ୍ୱପ୍ରତାପ ନାୟକ, ମହିଳା ମୋର୍ଚ୍ଚା ମଣ୍ଡଳ ସଭାପତି ଶୁଭଶ୍ରୀ ସାମଲ, ଦଧିବାମନପୁର ସରପଞ୍ଚ ପ୍ରତିନିଧି ପଦ୍ମନାଭ ଗୋଛାୟତ, ବ୍ରହ୍ମପୁର ସରପଞ୍ଚ ରବୀନ୍ଦ୍ର ପ୍ରଧାନ, ଦଧିବାମନପୁର ପଞ୍ଚାୟତ ସଭାପତି ସୌମ୍ୟରଞ୍ଜନ ଦାଶଙ୍କ ସମେତ କର୍ଣ୍ଣେନ୍ଦ୍ର ବେହେରା, ରବୀନ୍ଦ୍ର ଦେବତା, ବିଶ୍ୱଜିତ ଭୋଳ, ସଲିଳ ରଞ୍ଜନ ଦାଶ, ଅମରେନ୍ଦ୍ର ଦାଶ, ବାଜିନ ଭୋଇ, ସୁରଜ ସାହୁ, ବାବୁଲି ସ୍ୱାଇଁ ଓ ମାନଗୋବିନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ଅଞ୍ଚଳରେ ଶିକ୍ଷା, ଶିଶୁ ବିକାଶ ଓ ସାମାଜିକ ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହେବା ସହ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ଉପକୃତ ହେବେ ବୋଲି ଦୃଢ଼ ଆଶା ପ୍ରକାଶ ପାଇଛି। ଏହା ସହିତ ଗ୍ରାମାଞ୍ଚଳର ବିକାଶ ପ୍ରକ୍ରିୟା ଆଗକୁ ଆହୁରି ତ୍ୱରାନ୍ୱିତ ହେବ ବୋଲି ବିଧାୟକ ନିଜ ବକ୍ତବ୍ୟରେ କହିଛନ୍ତି।
