କଟକ ସଦର: ରାଜ୍ୟବ୍ୟାପୀ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ପରିପ୍ରେକ୍ଷୀରେ, କଟକ ସଦର ୪୨ ମୌଜା ଡ୍ରାଇଭର ମହାସଂଘ ତରଫରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ସହ ଧର୍ମଘଟ କରାଯାଇଛି। ସଂଘର ସଦସ୍ୟମାନେ ୪୨ ମୌଜାସ୍ଥିତ ଝିଙ୍କିରିଆ ସେତୁ ନିକଟରେ ଏକତ୍ରିତ ହୋଇ ନିଜର ଦାବି ଉପସ୍ଥାପନ କରିଛନ୍ତି।
ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ଦାବି ପୂରଣ ନେଇ ମହାସଂଘ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏହି ଆନ୍ଦୋଳନକୁ ଓହ୍ଲାଇଥିବା ସଦସ୍ୟମାନେ କହିଛନ୍ତି। ଡ୍ରାଇଭରଙ୍କୁ ସୁରକ୍ଷା, ପେନସନ, ବୀମା, ଏବଂ ନୂଆ ମୋଟର ଯାନ ଆଇନରେ ସଂଶୋଧନ ଭଳି ପ୍ରମୁଖ ଦାବି ନେଇ ଏହି ଆନ୍ଦୋଳନ ରାଜ୍ୟବ୍ୟାପୀ ଜାରି ରହିଛି।
ଏହି ଆନ୍ଦୋଳନରେ ୪୨ ମୌଜା ଡ୍ରାଇଭର ମହାସଂଘର ବହୁ କର୍ମକର୍ତ୍ତା ଓ ସଦସ୍ୟ ସାମିଲ ହୋଇଥିଲେ। ମହମ୍ମଦ ଇସ୍ତିୟାକ, ପୁରୁଷୋତ୍ତମ ଜେନା, କାଳନ୍ଦି ସ୍ୱାଇଁ, ମିଟୁ ସାହୁ, ସୁନାମ ସାହୁ, ହମସାର ଖାନ, ଗୌରୀ ଖୁଣ୍ଟିଆ, ଜାଫୁର୍ଲା ଖାନ, ସାହିଦ ଖାନ୍, ବିକ୍ରମ ସାମଲ, ଗଣେଶ୍ୱର ଦାସ, ବିକାଶ ମୋହନ ଦାସ, ଅଶୋକ ନାୟକ, କେଦାର ସାହୁ, ଇର୍ସାଦ ବେଗ, ୱଜିଦ ଖାନ, ସଞ୍ଜୟ କର, ସରୋଜ ସାମଲ, ଲାଲୁ ପ୍ରସାଦ ଦାସ ଏବଂ ମନୋଜ ମୁଦୁଲିଙ୍କ ସମେତ ବହୁ ଡ୍ରାଇଭର ଏହି ଧର୍ମଘଟରେ ସାମିଲ ହୋଇଥିଲେ।
ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପରିବହନ ସେବା ବାଧାପ୍ରାପ୍ତ ହୋଇଛି।
