କଟକ ସଦର: ଯେଉଁ କଣ୍ଠରୁ ଝରିଥିଲା ‘ଚାଲିଲା ଗାଡ଼ି ବାଦାମବାଡ଼ି’, ‘ଲେ ଲବିନା’, ‘ବାବାରେ ଆଲୁଅ’, ‘ମାରିଦେଲି ଖପରକାତି’ ଏବଂ ‘ଆସୁଛି ଆମ ସାହି ମେଢ଼’ ଭଳି ଅଗଣିତ କାଳଜୟୀ ଗୀତ, ସେହି ସ୍ବର ଆଜି ସବୁଦିନ ପାଇଁ ନୀରବି ଯାଇଛି। ୮୦ ଦଶକରେ ଓଡ଼ିଆ ସଙ୍ଗୀତ ଜଗତରେ ନିଜର ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ କରି ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସାମ୍ରାଜ୍ୟ ସୃଷ୍ଟି କରିଥିବା ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କର ପରଲୋକ ଘଟିଛି।
ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ରହିବା ପରେ ଗତକାଲି ଶନିବାର ବିଳମ୍ବିତ ରାତିରେ ସେ ହୃଦ୍ଘାତର ଶିକାର ହୋଇଥିଲେ। କଟକ ଶେଖବଜାର ସ୍ଥିତ ନିଜ ବାସଭବନରେ ୭୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ମାଟିଆ ଗ୍ରାମରେ ୧୯୪୬ ମସିହା ମେ’ ୧୬ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ସ୍ବର୍ଗତ ଚୈତନ୍ୟ ଦାସ ଓ ମାତା ସୁନ୍ଦରୀ ଦେବୀ। ରେଭେନ୍ସା କଲିଜିଏଟ ସ୍କୁଲ, ଷ୍ଟିୱାର୍ଟ ସାଇନ୍ସ କଲେଜ ଏବଂ ଏମଏସ ଲ’ କଲେଜରୁ ଶିକ୍ଷା ସମାପ୍ତ କରିବା ପରେ ସେ ୧୯୭୩ରୁ ୨୦୦୬ ପର୍ଯ୍ୟନ୍ତ ୟୁକୋ ବ୍ୟାଙ୍କରେ ଚାକିରି କରିଥିଲେ। ବ୍ୟାଙ୍କ ଚାକିରି ତାଙ୍କର ବୃତ୍ତି ଥିଲେ ମଧ୍ୟ ସଙ୍ଗୀତ ଥିଲା ତାଙ୍କର ପ୍ରବୃତ୍ତି ଓ ନିଶା।
ସେ ସଙ୍ଗୀତ ଗୁରୁ ଅକ୍ଷୟ ମହାନ୍ତିଙ୍କଠାରୁ ସଙ୍ଗୀତର କାରିଗରୀ ଶିକ୍ଷା କରିଥିବା ବେଳେ, ପଣ୍ଡିତ ଆଦିନାରାୟଣ ରାଓଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତରେ ତାଲିମ ନେଇଥିଲେ। ପରବର୍ତ୍ତୀ ସମୟରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତି ଓ ସ୍ୱରୂପ ନାୟକଙ୍କ ପ୍ରେରଣାରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ କଣ୍ଠଦାନ କରି ଅଜସ୍ର ଲୋକପ୍ରିୟତା ସାଉଁଟିଥିଲେ।
ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଓଡ଼ିଆ ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ଓ ଅଗଣିତ ଶ୍ରୀକାନ୍ତପ୍ରେମୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ସମସ୍ତେ ମତପ୍ରକାଶ କରିଛନ୍ତି। ଏହି ଅବସରରେ ବିଶିଷ୍ଟ ସଂଗୀତଜ୍ଞ ବନବିହାରୀ ଜେନା, ଗଗନ ବିହାରୀ ଜେନା, ନଗର ଖବରର ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସ ପ୍ରମୁଖ ସ୍ବର୍ଗତ ଶ୍ରୀକାନ୍ତ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି |
