32841cac Ded9 49da A740 D55bf813f975

ପରିବେଶ ସୁରକ୍ଷା ଦିଗରେ ମହତ ପ୍ରୟାସ: ୪୨ ମୌଜାରେ ‘ବିଷ୍ଣୁପ୍ରିୟା ସେବା ସମିତି’ ପକ୍ଷରୁ ବୃହତ ଚାରା ରୋପଣ

ରାଜ୍ୟ
Spread the love

କଟକ ସଦର : ପରିବେଶ ସନ୍ତୁଳନ ରକ୍ଷା ଏବଂ ଆଗାମୀ ପିଢି ପାଇଁ ଏକ ସବୁଜ ଭବିଷ୍ୟତ ସୁନିଶ୍ଚିତ କରିବା ଲକ୍ଷ୍ୟରେ, କଟକ ସଦର ଅଞ୍ଚଳରେ ଏକ ବଡ଼ଧରଣର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ, ଅଗ୍ରଣୀ ସାମାଜିକ ସଂଗଠନ ‘ବିଷ୍ଣୁପ୍ରିୟା ସେବା ସମିତି’ର ନେତୃତ୍ୱରେ ୪୨ ମୌଜା ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତର ଶ୍ରୀରାମ ଗ୍ରାମ ସ୍ଥିତ କାଠଯୋଡି ନଦୀ ତଟରେ ଥିବା ଭଗବତୀଙ୍କ ପୀଠରେ ଏହି ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଆୟୋଜିତ ସଭାରେ ସମିତିର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ସୁବୋଧ ବେହେରା ଅଧ୍ୟକ୍ଷତା କରିଥିଲେ। ପରମହଂସ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ଅଶୋକ ପାତ୍ର ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ‘ବିଷ୍ଣୁପ୍ରିୟା ସେବା ସମିତି’ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଉତ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ଏହା ପୂର୍ବରୁ ଗତିରାଉତ ପାଟଣା ନିମେଇସାପୁର ପଞ୍ଚାୟତର ମହାନଦୀପଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି | ଏହାର ମୂଳଲକ୍ଷ୍ୟ ହେଉଛି କଟକ ସଦର ଅଞ୍ଚଳରେ ଏକଲକ୍ଷ ବୃକ୍ଷରୋପଣ କରି ପରିବେଶର ସୁରକ୍ଷା କରିବା |
ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ସିଂହ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ଶ୍ରୀ ହୃଷିକେଶ ଜେନା, ବିଜେଡ଼ି ନେତା ମହମ୍ମଦ ସକିଲ, ପ୍ରଧ୍ୟାପକ ଡ଼ଃ କଲିମୁଲା, ଶ୍ରୀ ସମୀର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରଦୀପ୍ତ ମହାଳି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଳାସ ମଲ୍ଲିକ, ଏବଂ ଅନେକ ପୂର୍ବତନ ଓ ବର୍ତ୍ତମାନର ସରପଞ୍ଚ ଓ ସମିତି ସଭ୍ୟ ଯଥା ନିର୍ମଳ ଦାସ, ଅନିରୁଦ୍ଧ ରାଉଳ, ତ୍ରିଲୋଚନ ସ୍ବାଇଁ, ବିନୋଦ ବେହେରା, ସୂଦର୍ଶନ ଜେନା, ଧରଣୀଧର ପଣ୍ଡା, ଶିବଶଙ୍କର ମଲ୍ଲିକ, ପଦ୍ମନାଭ ଗୋଛୟତ, ରବିନ୍ଦ୍ରନାରାୟଣ ପ୍ରଧାନ, ପ୍ରଭାତ ଖଟୁଆ ଏବଂ ପିଙ୍କି ଭୋଇ ପ୍ରମୁଖ ଯୋଗଦେଇ “ବୃକ୍ଷ ହିଁ ଜୀବନ” ବାର୍ତ୍ତାକୁ ସାଧାରଣରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ।
ବକ୍ତାମାନେ ନଦୀତଟରେ ବୃକ୍ଷରୋପଣ ଦ୍ଵାରା ମୃତ୍ତିକା କ୍ଷୟ ରୋକିବା, ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଏବଂ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବାର ଗୁରୁତ୍ଵ ଉପରେ ଜୋର ଦେଇଥିଲେ। ସଭା କାର୍ଯ୍ୟ ପରେ ସମସ୍ତ ଅତିଥି ଓ ସ୍ଥାନୀୟ ବାସିନ୍ଦାମାନେ ମିଳିତ ଭାବେ ନଦୀ ତଟରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ।
ଏହି କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା ଦୁଇ ପ୍ରକୃତିପ୍ରେମୀ ଭ୍ରାତା, ଶ୍ରୀ ବସନ୍ତ ପଣ୍ଡା ଓ ଶ୍ରୀ ନବ କିଶୋର ପଣ୍ଡାଙ୍କୁ ସମ୍ବର୍ଦ୍ଧନା। ପରିବେଶ ସୁରକ୍ଷା ପାଇଁ ସେମାନଙ୍କର ନିରନ୍ତର ଉଦ୍ୟମକୁ ସ୍ୱୀକୃତି ଦେଇ ସେବା ସମିତି ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ପରିବେଶ ସଚେତନତା ସୃଷ୍ଟି କରିବାରେ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *