D9488e1a 1a06 450c Bc90 57e289ab76f1

ଲକ୍ଷାଧିକ ଟଙ୍କାର ରାଜସ୍ୱ, ତଥାପି ଅବହେଳିତ ସର୍ବପୁରାତନ ସାରଳା ହାଟ: ବର୍ଷାରେ ବେପାରୀ ଓ ଗ୍ରାହକ ଉଭୟ ହିନସ୍ତା

ରାଜ୍ୟ
Spread the love

ଜଗତସିଂହପୁ/ଝଙ୍କଡ଼ : ତିର୍ତ୍ତୋଲ ଅଞ୍ଚଳର ଐତିହାସିକ ତଥା ସର୍ବପୁରାତନ ଶାରଳାପୀଠ କନକପୁର ସ୍ଥିତ ସାରଳା ହାଟ ଏବେ ଅବ୍ୟବସ୍ଥା ଓ ପ୍ରଶାସନିକ ଉଦାସୀନତା ଭିତରେ ଗତି କରୁଛି। ମନ୍ଦିର ପ୍ରଶାସନ ଏହି ହାଟରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ଏହାର ଉନ୍ନତିକରଣ ଦିଗରେ ଦୃଷ୍ଟି ଦେଉନଥିବାରୁ ବର୍ଷାଦିନେ ବ୍ୟବସାୟୀ ଓ ଗ୍ରାହକ ଉଭୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପ୍ରତି ସପ୍ତାହର ରବିବାର ଓ ଗୁରୁବାର, ଏହି ଦୁଇ ଦିନ ଧରି ବସୁଥିବା ଏହି ହାଟ ଦିନେ ଗୋରୁହାଟ ପାଇଁ ପ୍ରସିଦ୍ଧ ଥିଲା ଏବଂ ଲୋକଙ୍କ ଗହଳିରେ ଫାଟି ପଡୁଥିଲା। ବର୍ତ୍ତମାନ ଗୋରୁହାଟ ବନ୍ଦ ହୋଇଯାଇଥିଲେ ମଧ୍ୟ ପନିପରିବା, ତେଜରାତି, ବସ୍ତ୍ର ଏବଂ ଖାଦ୍ୟପେୟର ଶତାଧିକ ଦୋକାନ ଏଠାରେ ନିୟମିତ ଭାବେ ବସୁଛି।

କିନ୍ତୁ ଦୁଃଖର ବିଷୟ, ବ୍ୟବସାୟୀମାନେ ନିଜ ଖର୍ଚ୍ଚରେ ବରଡ଼ାପତ୍ର କିମ୍ବା ପଲିଥିନ ଟାଣି ଅସ୍ଥାୟୀ ଭାବେ ବସିବାକୁ ବାଧ୍ୟ ହେଉଛନ୍ତି। ସାମାନ୍ୟ ବର୍ଷା ହେଲେ ହାଟ ପରିସର କାଦୁଅରେ ପଚପଚ ହୋଇଯାଉଛି, ଯାହାଫଳରେ ଚାଲିବା ମଧ୍ୟ କଷ୍ଟକର ହୋଇପଡୁଛି। ଖୋଲା ଆକାଶ ତଳେ ବସିଥିବା ଦୋକାନୀଙ୍କ ସାମଗ୍ରୀ ବର୍ଷା ପାଣିରେ ଭିଜି ନଷ୍ଟ ହେଉଥିବା ବେଳେ, ଗ୍ରାହକମାନେ ମଧ୍ୟ ଓଦାସୋଦା ହୋଇ କିଣାବିକା କରିବାକୁ ବାଧ୍ୟ ହେଉଛନ୍ତି।

ଆଶ୍ଚର୍ଯ୍ୟର କଥା, ସାରଳା ମନ୍ଦିର ପ୍ରଶାସନ ‘ହାଟଦଣ୍ଡିଆ’ ମାଧ୍ୟମରେ ଏହି ହାଟରୁ ମୋଟା ଅଙ୍କର ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ଏହାର ସ୍ଥାୟୀ ଉନ୍ନତି ପାଇଁ ଟଙ୍କାଟିଏ ଖର୍ଚ୍ଚ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ଏହାକୁ ଏକ ‘ମଡେଲ ହାଟ’ରେ ପରିଣତ କରି ଛାତପକା ପିଣ୍ଡି ନିର୍ମାଣ କରିବାର ପ୍ରତିଶୃତି ଦିଆଯାଇଥିଲା। ଏପରିକି, ଆର୍.ଏମ୍.ସି. (ନିୟନ୍ତ୍ରିତ ବଜାର କମିଟି) ଦ୍ୱାରା ସ୍ଥାୟୀ ଗୃହ ନିର୍ମାଣ କରିବାର ଯୋଜନା ମଧ୍ୟ କେବଳ କାଗଜ କଲମରେ ସୀମିତ ରହିଯାଇଛି।

ବୁଦ୍ଧିଜୀବୀଙ୍କ ମତରେ, ଯଦି ହାଟରୁ ମିଳୁଥିବା ଆୟରୁ କିଛି ଅଂଶ ପ୍ରତିବର୍ଷ ଏହାର ବିକାଶ ପାଇଁ ବିନିଯୋଗ କରାଯାଇଥାନ୍ତା, ତେବେ ଆଜି ଏହାର ଚିତ୍ର ବଦଳି ଯାଇସାରନ୍ତାଣି। ପ୍ରଶାସନ କେବଳ ରାଜସ୍ୱ ଆଦାୟରେ ମନୋନିବେଶ ନକରି ହାଟର ସ୍ଥାୟୀ ଭିତ୍ତିଭୂମି ବିକାଶ ଦିଗରେ ଯଥାଶୀଘ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।

Leave a Reply

Your email address will not be published. Required fields are marked *