କଟକ: ପାହାଳ ବଜାରରେ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ପ୍ରସ୍ତାବିତ ସ୍ଥାୟୀ ବ୍ୟାରିକେଡ୍ ନିର୍ମାଣ ଯୋଜନାକୁ ନେଇ ତୀବ୍ର ବିରୋଧ ଦେଖାଦେଇଛି। ଶତାଧିକ ମିଷ୍ଟାନ୍ନ ଦୋକାନ ସମ୍ମୁଖରେ ପ୍ରବେଶ ଓ ପ୍ରସ୍ଥାନ ପଥ ନ ରଖି ବ୍ୟାରିକେଡ୍ ନିର୍ମାଣ ପ୍ରସ୍ତାବକୁ ଉତ୍କଳ ଯାଦବ ମହାସଭା ଦୃଢ଼ ବିରୋଧ କରିଛି। ଏହାଦ୍ୱାରା ପୁରୁଷ ପୁରୁଷ ଧରି ବ୍ୟବସାୟ କରିଆସୁଥିବା ବ୍ୟବସାୟୀଙ୍କ ଜୀବିକା ପ୍ରଭାବିତ ହେବା ଆଶଙ୍କା କରାଯାଉଛି।
ଉତ୍କଳ ଯାଦବ ମହାସଭାର ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କ ପରାମର୍ଶକ୍ରମେ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାର ଗୌରବ କୁହାଯାଉଥିବା ପାହାଳର ପ୍ରସିଦ୍ଧ ମିଠା ବ୍ୟବସାୟୀଙ୍କ ସୁରକ୍ଷା ଓ ସେମାନଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ମିଷ୍ଟାନ୍ନ ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏହି ପ୍ରତିନିଧି ମଣ୍ଡଳୀରେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା, କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ସଂଘର ସମ୍ପାଦକ ତୀର୍ଥବାସୀ ବେହେରା, ଯୁଗ୍ମ ସମ୍ପାଦକ ପ୍ରସନ୍ନ ବେହେରା, ଭୁବନେଶ୍ୱର ମିଷ୍ଟାନ୍ନ ବ୍ୟବସାୟୀ ସଂଘର ସଭାପତି ବିମ୍ବାଧର ବେହେରା, ପାହାଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘର ସଭାପତି ଅକ୍ଷୟ କୁମାର ଲେଙ୍କା, ସମ୍ପାଦକ ନିରଞ୍ଜନ ବେହେରା ଏବଂ ପାହାଳ ମଦନ ମୋହନ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସଭାପତି ରାଜେନ୍ଦ୍ର ବଲ୍ଲଭ ବେହେରା, ସମ୍ପାଦକ ବିପ୍ଳବ ଯାଦବଙ୍କ ସମେତ ବହୁ ବ୍ୟବସାୟୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
