85cea289 29f2 4a41 B2e4 38178f6d15d4

କର୍ମବୀର ଗୌରୀଶଙ୍କରଙ୍କୁ ସ୍ମରଣ: ୪୨ ମୌଜାରେ ୧୮୭ତମ ଜୟନ୍ତୀ ପାଳିତ

ରାଜ୍ୟ
Spread the love

କଟକ ସଦର: ଓଡ଼ିଆ ଭାଷା, ସାହିତ୍ୟ ଓ ସାମ୍ବାଦିକତାର ପ୍ରବାଦ ପୁରୁଷ କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୭ତମ ଜନ୍ମ ଜୟନ୍ତୀ କଟକ ସଦର ୪୨ ମୌଜା ସ୍ଥିତ ପାଟଣା ଗ୍ରାମରେ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ସ୍ଥାନୀୟ ସର୍ବ ପୁରାତନ ସାମାଜିକ ସଂଗଠନ ‘ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ’ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଅବସରରେ ପ୍ରତିଷ୍ଠାନର ଉପଦେଷ୍ଟା ଇଞ୍ଜିନିୟର ସେବକ ଶ୍ରୀକାନ୍ତ ବେଉରା, ବରିଷ୍ଠ ସାମ୍ବାଦିକ ବସନ୍ତ କୁମାର ରଥ, ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ ଏବଂ ମହାସଚିବ ରୁଦ୍ର ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି କର୍ମବୀରଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବକ୍ତାମାନେ ନିଜ ବକ୍ତବ୍ୟରେ କର୍ମବୀର ଗୌରୀଶଙ୍କରଙ୍କ ଅବଦାନକୁ ସ୍ମରଣ କରିଥିଲେ। ସେମାନେ କହିଥିଲେ ଯେ, କଟକର ଦୀକ୍ଷିତପଡ଼ାରେ ଜନ୍ମଗ୍ରହଣ କରିଥିବା ଗୌରୀଶଙ୍କର ରାୟ ଓଡ଼ିଆ ଜାତିକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।  ତାଙ୍କ ଦ୍ୱାରା ପ୍ରକାଶିତ ‘ଉତ୍କଳ ଦୀପିକା’ କେବଳ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ନଥିଲା, ବରଂ ଏହା ଓଡ଼ିଆ ଭାଷା ଆନ୍ଦୋଳନକୁ ଏକ ନୂତନ ଦିଗ ଦେଇଥିଲା।  ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ତାଙ୍କର ନିରନ୍ତର ସଂଗ୍ରାମ ଯୋଗୁଁ ଓଡ଼ିଆ ଜାତି ତାଙ୍କୁ ‘କର୍ମବୀର’ ଭାବରେ ସମ୍ମାନିତ କରିଆସୁଛି। 

ଏହି କାର୍ଯ୍ୟକ୍ରମରେ ଆଦର୍ଶ ଶିକ୍ଷକ ମିହିର କୁମାର ନାୟକ, ସନ୍ତୋଷ କୁମାର ଭୋଇ ଏବଂ ଶ୍ରୀ ଜଗନ୍ନାଥ ଷ୍ଟଡି ସର୍କଲର ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଶେଷରେ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *