ବୟାଳିଶମୌଜା: ପ୍ରକୃତିର ସୁରକ୍ଷା ଓ ସବୁଜ ବିପ୍ଳବ ଦିଗରେ ଏକ ନିଆରା ପଦକ୍ଷେପ ସ୍ୱରୂପ, ୪୨ ମୌଜା ଅନ୍ତର୍ଗତ ଶ୍ରୀରାମ କାଠଯୋଡ଼ି ନଦୀ କୂଳରେ ଆଉ ଏକ କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଛି । ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ “ନବ କଳେବର ବାଟିକା” ନାମରେ ନବମ କୃତ୍ରିମ ଜଙ୍ଗଲ ପାଇଁ ଚାରାରୋପଣ କରାଯାଇଛି ।
ଏହି ଅବସରରେ କାଠଯୋଡ଼ି ନଦୀ ତଟରେ ପ୍ରାୟ ୧୨ ହଜାର ବର୍ଗଫୁଟ ପରିମିତ ସ୍ଥାନକୁ ସୁରକ୍ଷା ବାଡ଼ ଦ୍ୱାରା ଘେରାଯାଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ବିଧିବଦ୍ଧ ଭାବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯିବା ସହ ପ୍ରକୃତି ଆରାଧନା ଓ ବୃକ୍ଷ ବନ୍ଦନା କରାଯାଇଥିଲା । ପରେ ଉପସ୍ଥିତ ସମସ୍ତ ସବୁଜପ୍ରେମୀଙ୍କ ଦ୍ୱାରା ଅଁଳା, ଅଶୋକ, ଅର୍ଜୁନ, ଭୂଜପତ୍ର, ବିଶଲ୍ୟକରଣୀ, ଉଦମ୍ବର, ଆମ୍ବ, ପଣସ, ପଦ୍ମ କେଦାର, ନଡ଼ିଆ, କଦଳୀ, ତୁଳସୀ ଏବଂ ଇଣ୍ଡିଆନ ମଲବେରି ଭଳି ବହୁ ଔଷଧୀୟ ଓ ଫଳ ବୃକ୍ଷର ଚାରା ରୋପଣ କରାଯାଇଥିଲା ।
ଏହି ମହତ କାର୍ଯ୍ୟକ୍ରମରେ ବରିଷ୍ଠ ପଣ୍ଡିତ ଜଗନ୍ନାଥ ଆଚାର୍ଯ୍ୟ, ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ନାୟକ, ଭଗବତୀ ପ୍ରସାଦ ପତି, ଲକ୍ଷ୍ମଣ ଦୀକ୍ଷିତ, ଚିନ୍ମୟ ଦାଶ, ଦିଲ୍ଲୀପ ପାଣିଗ୍ରାହୀ, ଦେବାଶିଷ ଦୀକ୍ଷିତ, ସୂର୍ଯ୍ୟମଣି ନାୟକ, ସୁମିତ୍ରା ସ୍ଵାଇଁ, ରବୀନ୍ଦ୍ର ସାହୁ, ହୋମିଓପାଥିକ ଚିକିତ୍ସକ ତ୍ରିଲୋଚନ ସାହୁ, ସମାଜସେବୀ ବସନ୍ତ କୁମାର ପଣ୍ଡା, ଚନ୍ଦନ ପଣ୍ଡା, ଚୁଇଁ ସ୍ଵାଇଁ, ସନାତନ ପଣ୍ଡା, ଶୁଭମ ରାଜ ପଣ୍ଡା ଏବଂ ଟିକିନ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।
ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା ଓ ‘ଗଛ ମଣିଷ’ ଭାବେ ପରିଚିତ ବସନ୍ତ କୁମାର ପଣ୍ଡାଙ୍କ ଏଭଳି ମହାନ ସେବା କାର୍ଯ୍ୟକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି । ବିଶେଷ କରି, ନେତାଜୀ ସୁବାଷ ସ୍ମୃତି ପରିଷଦ, ବରାଳ ୪୨ ମୌଜା ପକ୍ଷରୁ ଏହାର ଆବାହକ ତଥା ପ୍ରାବନ୍ଧିକ ଇଂ. ସେବକ ଶ୍ରୀକାନ୍ତ ବେହେରା ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କହିଛନ୍ତି ।
