B5569a46 94bf 4709 A479 69b65cbe432f

ଅଘୋଷିତ ବିଦ୍ୟୁତ୍ କାଟରେ ଅତିଷ୍ଠ ୪୨ ମୌଜାବାସୀ: ତୁରନ୍ତ ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ରାଜ୍ୟ
Spread the love

କଟକ ସଦର: ୪୨ ମୌଜା ଅଞ୍ଚଳରେ ଦୀର୍ଘଦିନ ଧରି ଲାଗି ରହିଥିବା ଗୁରୁତର ବିଦ୍ୟୁତ୍ ସମସ୍ୟା ନେଇ ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ନୂତନ ସବଷ୍ଟେସନ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଏବଂ ପ୍ରତିଦିନ ଅଘୋଷିତ ବିଦ୍ୟୁତ୍ କାଟକୁ ବିରୋଧ କରି ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଟାଟା ପାୱାର କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନରାତି ଅଘୋଷିତ ଭାବେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରାଯାଉଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି । ବିଶେଷ କରି ଛାତ୍ରଛାତ୍ରୀ, ବୟସ୍କ ବ୍ୟକ୍ତି ଓ ରୋଗୀମାନେ ଅଧିକ ହନ୍ତସନ୍ତ ହେଉଛନ୍ତି । ଏହି ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ନୂଆ ସବଷ୍ଟେସନର ଆବଶ୍ୟକତା ଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଜିଲ୍ଲାପାଳ ମହୋଦୟ କମିଟିର ସଦସ୍ୟମାନଙ୍କ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିବା ସହ ତୁରନ୍ତ ଟାଟା ପାୱାରର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ପ୍ରତିନିଧି ଦଳରେ କମିଟିର ସମ୍ପାଦକ ଚିନ୍ମୟ ଦେବତା, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ନନ୍ଦ, ସଭାପତି ବିଭୁତି ଦେବତା, ଉପ-ସଭାପତି ଗୌତମ ସ୍ଵାଇଁ, ଉପଦେଷ୍ଟା ନରହରି ଦେବତା ଓ ଆନନ୍ଦ ଦେବତାଙ୍କ ସମେତ ବରିଷ୍ଠ ସଦସ୍ୟ ସୁଜିତ ଦେବତା, ଅଶୋକ ଦେବତା, ସୁଶାନ୍ତ ଦେବତା, ଲକ୍ଷ୍ମୀଧର ସାହୁ, ଜଗନ୍ନାଥ ସାହୁ ଓ ସୁନୀଲ ଦେବତା ପ୍ରମୁଖ ଉପସ୍ଥିତ ରହି ଦାବି ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *