କେନ୍ଦ୍ରାପଡ଼ା/ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମାଳପାଟଣା ଗ୍ରାମର ସ୍ୱର୍ଗତ ନଟବର ସାହୁଙ୍କ ଏକାଦଶାହ ଅବସରରେ ଏକ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ଗୁରୁଙ୍କ ପାଇଁ ଗଛଟିଏ” ଶୀର୍ଷକରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ତାଙ୍କର ଅମର ଆତ୍ମା ପ୍ରତି ସମ୍ମାନ ଜ୍ଞାପନ କରାଯାଇଛି।
ସ୍ୱର୍ଗତ ନଟବର ସାହୁ ପେଶାରେ ଜଣେ ଆଦର୍ଶ ଶିକ୍ଷକ ଥିଲେ। ସେ ଆଳି ବ୍ଲକର ଈଶାନେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରି ଅଗଣିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଥିଲେ। କେବଳ ଶିକ୍ଷାଦାନରେ ସୀମିତ ନ ରହି ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସୁସଂଗଠକ ଓ ମେଳାପୀ ବ୍ୟକ୍ତି ଭାବରେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ସେ ମାଳପାଟଣା ସ୍ଥିତ “ଭାତୁଆବଟ”ର ମୁଖ୍ୟ ପରିଚାଳକ ଭାବେ ଦାୟିତ୍ୱ ତୁଲାଇବା ସହ ୪୬ ଥର ରକ୍ତଦାନ କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇଥିଲେ।
ଦୀର୍ଘ ଦିନ ଧରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଜଣେ ସକ୍ରିୟ ସଦସ୍ୟ ଓ “ଗୁରୁବର” ଭାବେ ସେ କାର୍ଯ୍ୟରତ ଥିଲେ। ଟ୍ରଷ୍ଟର ଉନ୍ନତି ପାଇଁ ସେ ସର୍ବଦା ମୂଲ୍ୟବାନ ଉପଦେଶ ଦେଉଥିଲେ ଏବଂ ସମାଜକୁ ନୂତନ ସେବା ଯୋଗାଇଦେବା ପାଇଁ ଟ୍ରଷ୍ଟର ସଭାପତିଙ୍କ ସହ ନିରନ୍ତର ଆଲୋଚନା କରୁଥିଲେ।
ତାଙ୍କର ସ୍ମୃତିଚାରଣ ପାଇଁ ଭାତୁଆବଟ ଠାରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଫୁଲ ଗଛ ସହିତ ରକ୍ତ ଚନ୍ଦନ, ଆମ୍ବ, ଗୁଆ, ପଣସ, ଲିଚୁ, ଜାମୁକୋଳି ଓ ଶମୀ ଭଳି ବହୁ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଉପ-ସଭାପତି ରଶ୍ମି ରଞ୍ଜନ ବାରିକ, ଅଶ୍ୱିନୀ ସାହୁ, ତପନ କୁମାର ନାଥ, କାଳନ୍ଦୀ ମଲିକ ଏବଂ “ଗଛ ମଣିଷ” ଭାବେ ପରିଚିତ ରାଜେନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟଟିକୁ ସଫଳତାର ସହ ସମ୍ପାଦନ କରିଥିଲେ। ଟ୍ରଷ୍ଟର ଏହି ମହତ କାର୍ଯ୍ୟକୁ ସ୍ୱର୍ଗତ ସାହୁଙ୍କ ଶିକ୍ଷକ ବନ୍ଧୁମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।
