306772fd 12ad 4676 Af45 423af357c43a

ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

ରାଜ୍ୟ
Spread the love

କଟକ: ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରାଯିବା ସହ ଦାବି ପୂରଣ ନହେଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି। କଟକ ଜିଲ୍ଲା ବିରିବାଟି ସ୍ଥିତ ଏକ ହୋଟେଲ ପରିସରରେ ଅନୁଷ୍ଠିତ ସଂଘର ତୃତୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

97a51152 E596 4b44 Baf2 C3c5d5e23eb3

ସଂଘର ରାଜ୍ୟ ସଭାପତି ଶ୍ରୀ ସୁଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ଶ୍ରୀ ଜାଭେଦ ଅକତରଙ୍କ ସମେତ ରାଜ୍ୟର ୨୮ଟି ଜିଲ୍ଲାର ସଭାପତି ଓ ସମ୍ପାଦକମାନେ ଯୋଗ ଦେଇଥିଲେ। ବୈଠକରେ ସଂଘର ମୁଖ୍ୟ ଦାବିଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ଦାବିଗୁଡ଼ିକ ହେଲା:

  • ସହକାରୀ ରାଜସ୍ବ ନିରୀକ୍ଷକ (ARI) ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ (ଗ୍ରାଜୁଏଟ୍)କୁ ବୃଦ୍ଧି କରିବା।

  • ରାଜସ୍ବ ସୁପରଭାଇଜର (Revenue Supervisor)ଙ୍କ ପଦବୀର ନାମ ପରିବର୍ତ୍ତନ କରିବା।

  • ବିଭିନ୍ନ ସ୍ତରରେ ଖାଲି ପଡ଼ିଥିବା ସମସ୍ତ ପଦବୀ ତୁରନ୍ତ ପୂରଣ କରିବା।

  • ସରକାରୀ ଯୋଜନାର ସୁଚାରୁ ରୂପାୟନ ନିମନ୍ତେ ରାଜସ୍ବ ନିରୀକ୍ଷକ (RI) କାର୍ଯ୍ୟାଳୟଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ସମସ୍ତ ଅସୁବିଧାର ସମାଧାନ କରିବା।

ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ସଂଘର ଦାବିଗୁଡ଼ିକୁ ଧ୍ୟାନର ସହ ଶୁଣିବା ସହ ଏହାକୁ ସରକାରଙ୍କ ନିକଟରେ ଉପଯୁକ୍ତ ଭାବେ ଉପସ୍ଥାପନ କରି ପୂରଣ ଦିଗରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସରକାର ଯଦି ଏହି ଯୁକ୍ତିଯୁକ୍ତ ଦାବିଗୁଡ଼ିକୁ ତୁରନ୍ତ ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ସଂଘ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗୃହୀତ ହୋଇଥିଲା। କଟକ ଜିଲ୍ଲା ଶାଖା ତରଫରୁ ସଭାପତି ଶ୍ରୀ ସଞ୍ଜୟ ବେହେରା ଏବଂ ସମ୍ପାଦକ ଶ୍ରୀ ଅରୁଣ କୁମାର ବିଶ୍ୱାଳ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *