ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ ପାଇଁ ‘ମଧ୍ୟସ୍ଥତା’ ପ୍ରଭାବଶାଳୀ ମାଧ୍ୟମ: ପ୍ରଧାନ ବିଚାରପତି

କଟକ ରାଜ୍ୟ
Spread the love

କଟକ, ୧୫/୧୨: ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ନ୍ୟାୟିକ ବ୍ୟବସ୍ଥାର ଲକ୍ଷ୍ୟ ହେବା ଉଚିତ। ଆଇନଗତ ତତ୍ତ୍ବ‌ରେ ନୁହେଁ, ସାଧାରଣ ନାଗରିକଙ୍କ ଜୀବନ୍ତ ଅନୁଭବରେ ଅଦାଲତର ଅସଲ ପରୀକ୍ଷା ନିହିତ ଥାଏ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜ‌ଷ୍ଟିସ୍‌ ସୂର୍ଯ୍ୟ କାନ୍ତ କହିଛନ୍ତି। ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ତରଫରୁ ସହିଦ ଭବନଠାରେ ‘ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ: ମାମଲା ଖର୍ଚ୍ଚ ଓ ବିଳମ୍ବ ହ୍ରାସ ପାଇଁ ରଣନୀତି’ ଶୀର୍ଷକ ଆଲୋଚନାଚକ୍ରରେ ପ୍ରଧାନ ବିଚାରପତି ଯୋଗଦେଇ ଏପରି କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନ ବିଚାରପତି କହିଥିଲେ ଯେ ଯେତେବେଳେ ନ୍ୟାୟ ପ୍ରତ୍ୟାଶିତ, ସୁଗମ ଓ ମାନବୀୟ ବୋଲି ଅନୁଭବ ହୁଏ ସେତେବେଳେ ଆଇନର ଶାସନ ବାସ୍ତବ ଅର୍ଥ ପ୍ରାପ୍ତ କରିଥାଏ। ସାଧାରଣତଃ ନାଗରିକମାନେ ଦୁଇଟି ପ୍ରମୁଖ ପ୍ରତିବନ୍ଧକ ଯଥା ମାମଲାର ଉଚ୍ଚ ଖର୍ଚ୍ଚ ଓ ଫଇସଲାରେ ବିଳମ୍ବର ସମ୍ମୁଖୀନ ହୋଇଥାନ୍ତି। ନ୍ୟାୟ ଦୀର୍ଘସୂତ୍ରୀ ଓ ମହଙ୍ଗା ହେଲେ ଆଇନର ଶାସନର ମୂଳ ଉଦ୍ଦେଶ୍ୟ ପରାହତ ହୋଇଥାଏ। ତେବେ ସାମ୍ପ୍ରତିକ ପରିସ୍ଥିତିରେ ଅଦାଲତଗୁଡ଼ିକ ପାଇଁ ମାମଲା ବୋଝ ଆହ୍ବାନ ହୋଇଥିଲେ ହେଁ ଏହାକୁ ପର୍ଯ୍ୟାୟ କ୍ରମେ ହ୍ରାସ କରାଯାଇପାରିବ। ବିକଳ୍ପ ବିବାଦ ସମାଧାନ (ଏଡିଆର) ଗେମ୍‌ ‌ଚେଞ୍ଜର ହୋଇଥିବା ବେଳେ ମଧ୍ୟସ୍ଥତା (ମେଡିଏସନ୍‌) ନିର୍ଦ୍ଦିଷ୍ଟ ଭାବେ ଜନପ୍ରିୟ ହେଉଛି। ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବାକୁ ହେଲେ ମଧ୍ୟସ୍ଥତା ଏକ ଶକ୍ତିଶାଳୀ ତଥା ପ୍ରଭାବୀ ମାଧ୍ୟମ ହେଉ ବୋଲି ପ୍ରଧାନ ବିଚାରପତି କହିଥିଲେ।

ସେ ଆହୁରି କହିଥିଲେ, ଏଆଇ (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ମାନବ ସମ୍ବଳର ବିକଳ୍ପ ହୋଇପାରିବ ନାହିଁ। ବରଂ ନ୍ୟାୟିକ ବ୍ୟବସ୍ଥାରେ ଏହାକୁ ଏକ ପ୍ରଭାବୀ ଉପକରଣ ଭାବେ ବ୍ୟବହାର କରାଯାଇପାରିବ। ପ୍ରଯୁକ୍ତି ବିଜ୍ଞାନ ଦୂରତା କମ୍‌ କରିବା ସହିତ ଭୌଗୋଳିକ ବାଧା ଦୂର କରି ପାରିଛି। ଏହା ଦ୍ବାରା ଉପାନ୍ତ ଅଞ୍ଚଳରେ ରହି ଜଣେ ଆଇନଜୀବୀ ହାଇକୋର୍ଟରେ ମାମଲା ଦାୟର କରିବା ସହିତ ଶୁଣାଣିରେ ଅଂଶଗ୍ରହଣ କରି ପାରୁଛନ୍ତି। ପ୍ରଯୁକ୍ତିବିଦ୍ୟା ନ୍ୟାୟର ସେବକ ହୋଇ ରହିବା ଉଚିତ, ଏହାର ବିକଳ୍ପ ନୁହେଁ। ଡିଜିଟାଇଜେସନ୍‌ ଯୁଗରେ ସଂସ୍କାର ପ୍ରକ୍ରିୟା ଯେପରି ଗରିବ ଓ ବରିଷ୍ଠଙ୍କୁ ବଞ୍ଚିତ ନ କରେ ତାହା ସୁନିଶ୍ଚିତ କରାଯିବା ଉଚିତ। ମାମଲା ଖର୍ଚ୍ଚ ଓ ବିଳମ୍ବ ହ୍ରାସ ପାଇଁ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳର ଉପଯୋଗ ଓ ନ୍ୟାୟିକ ଭିତ୍ତିଭୂମି ବିକାଶ ଉପରେ ପ୍ରଧାନ ବିଚାରପତି ଗୁରୁତ୍ବାରୋପ କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ କହିଥିଲେ ଯେ, ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ଚିନ୍ତାଜନକ। ଏହାକୁ ହ୍ରାସ ପାଇଁ ଉପଯୁକ୍ତ ପରିଚାଳନା ଓ ପ୍ରାକ୍‌-ମକଦ୍ଦମା ମଧ୍ୟସ୍ଥତାର ଆବଶ୍ୟକତା ରହିଛି। ମାମଲା ସମାଧାନ ପାଇଁ ଉଭୟ ନ୍ୟାୟପାଳିକା ଓ କାର୍ଯ୍ୟପାଳିକାର ମିଳିତ ଉତ୍ତରଦାୟିତ୍ବ ରହିଛି ଓ ଆଇନଜୀବୀଙ୍କ ସହଯୋଗ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଆଡଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ, ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ବକ୍ତବ୍ୟ ରଖିଥିଲେ। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ମନୋଜ କୁମାର ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ଅଭିଜିତ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସଭାପତି ଆଇନଜୀବୀ ସିଦ୍ଧାର୍ଥ ଦାସ ଧନ୍ୟବାଦ ଦେଇଥିଲେ।ଏହି ଅବସରରେ ୫୦ବର୍ଷ ଓ ଅଧିକ ସମୟ ଧରି ଓକିଲାତି କରିଥିବା ହାଇକୋର୍ଟର ଆଇନଜୀବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବଭାରତୀୟ ଜଜେସ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍‌ରେ ଅଂଶଗ୍ରହଣ ଓ କୃତିତ୍ୱ ଅର୍ଜନ ପାଇଁ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ, ଜଷ୍ଟିସ୍‌ ସାବିତ୍ରୀ ରଥ, ଜଷ୍ଟିସ୍‌ ଭି.ନରସିଂହ, ଜଷ୍ଟିସ୍‌ ଶିବଶଙ୍କର ମିଶ୍ରଙ୍କୁ ଟ୍ରଫି ଓ ଉତ୍ତରୀୟ ଦେଇ ପ୍ରଧାନ ବିଚାରପତି ସମ୍ବର୍ଦ୍ଧିତ କରିଥିଲେ। ହାଇକୋର୍ଟର ସମସ୍ତ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ହାଇକୋର୍ଟ ବାର‌୍ ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *