ମାହାଙ୍ଗା, ୨୬/୧୦ (ଆପ୍ର): ପ୍ରଥିତଯଶା ସାରସ୍ୱତ ସାଧକ, ମୁକୁଟବିହୀନ ଗୀତିନାଟ୍ୟ ସମ୍ରାଟ ତଥା ଓଡ଼ିଆ ଅସ୍ମିତାର ମହାନାୟକ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ସମାରୋହ କବିଙ୍କ ସାଧନାପୀଠ ମାଳିହତାସ୍ଥିତ ମା’ କ୍ଷେତ୍ରପାଳିନୀଙ୍କ ପୀଠରେ ଉଦଘାଟିତ ହୋଇଯାଇଛି। ଏହି ସାରସ୍ୱତ ଉତ୍ସବକୁ ବିଶିଷ୍ଟ ସମାଜସେବୀ ରାଜକିଶୋର ସେନାପତି ମୁଖ୍ୟ ଉଦ୍ଘାଟକ ଭାବେ ଯୋଗଦେଇ ଉଦଘାଟନ କରିଥିଲେ।
ପ୍ରାଧ୍ୟାପକ ଡକ୍ଟର ଗିରିଜା ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଡକ୍ଟର ଅଶୋକ କୁମାର ରାଉତ ଯୋଗଦେଇଥିଲେ। ଡକ୍ଟର ରାଉତ ନିଜ ବକ୍ତବ୍ୟରେ କହିଲେ ଯେ, “ପାଣି ସାହିତ୍ୟ ସମଗ୍ର ବିଶ୍ୱକୁ ଆଲୋକିତ କରିଛି। ମାନବୀୟ ମୂଲ୍ୟବୋଧ ହିଁ ଜୀବନର ସର୍ବଶ୍ରେଷ୍ଠ ଉପଲବ୍ଧି। ଗଣକବିଙ୍କ ନାଟକ ତତ୍କାଳୀନ ସମାଜରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଥିଲା।” ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି ଯୋଗଦେଇ କହିଲେ ଯେ, “ଗଣକବିଙ୍କ ସାହିତ୍ୟରେ ସମାଜର ନିମ୍ନ ବର୍ଗର ମେହେନତି ମଣିଷର ସ୍ୱର ବେଶ ଶାଣିତ ହୋଇପାରିଛି। ପୁରାଣ ଓ ଇତିହାସର କଥାବସ୍ତୁ ସହିତ ସାଧାରଣ ତେଲ-ଲୁଣ ଦୁନିଆର ବାସ୍ତବ ଚିତ୍ରକୁ ନେଇ ରଚିତ ବୈଷ୍ଣବ ପାଣିଙ୍କ ସୃଷ୍ଟିସମ୍ଭାର ଆଜି ବି ଜନାଦୃତ।”
ଏହି ସଭାରେ ଅଧ୍ୟାପକ ଡକ୍ଟର ଅଶୋକ କୁମାର ବାରିକ ଓ ମେଘନାଦ ସେନାପତି ସମ୍ମାନିତ ଅତିଥି ଭାବେ ଏବଂ ସାମ୍ବାଦିକ ତାପସ କୁମାର ବିଶ୍ୱାଳ ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସନ୍ତୋଷୀ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ଅଧ୍ୟକ୍ଷ ସନ୍ତୋଷ କୁମାର ବଳ ଯୋଗଦେଇ ଗଣକବିଙ୍କ କୀର୍ତ୍ତି ଓ କୃତିର ଉଚ୍ଚ ପ୍ରଶଂସା ସହ ଯଥାର୍ଥ ମୂଲ୍ୟାୟନ କରିଥିଲେ।
କ୍ଷେତ୍ରପାଳିନୀ ପାଠାଗାର ପକ୍ଷରୁ ଆୟୋଜିତ ଏହି ସାରସ୍ୱତ ସଭାର ପ୍ରାରମ୍ଭରେ କଣ୍ଠଶିଳ୍ପୀ ବିଜୟ କୁମାର ବରାଳ ଓ ତାଙ୍କ ସାଥୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଶିକ୍ଷକ ତଥା ସାରସ୍ୱତ ସଂଗଠକ ସନ୍ତୋଷ କୁମାର ଭୂୟାଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଧର ସେନାପତି, ହୃଷିକେଶ ବେହେରା ଓ ବିଜୟରାମ ସେନାପତି ପ୍ରମୁଖ ଏହି ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଶେଷରେ ପ୍ରଫୁଲ୍ଲ କୁମାର ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ପବିତ୍ର ଅବସରରେ ଚଳିତ ବର୍ଷ ପାଇଁ କୋଠପଦା ଅଞ୍ଚଳର ବିଶିଷ୍ଟ ମଞ୍ଚ ଅଭିନେତା ଅନନ୍ତ କିଶୋର ସାହୁ ଏବଂ କାଳିଅଣ୍ଟି ଅଞ୍ଚଳର ନାରୀ ଅଭିନେତ୍ରୀ କମଳିନୀ ସେନାପତିଙ୍କୁ ମର୍ଯ୍ୟାଦାଜନକ “ଗଣକବି ପ୍ରତିଭା ସମ୍ମାନ” ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ କ୍ଷେତ୍ରପାଳିନୀ ବିଦ୍ୟାନିକେତନର ଛାତ୍ରଛାତ୍ରୀ ତଥା କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କ୍ଷେତ୍ରପାଳିନୀ ପାଠାଗାର, ମାଳିହତା ପକ୍ଷରୁ ଗଣକବିଙ୍କ ବିରଚିତ ପ୍ରସିଦ୍ଧ ଗୀତିନାଟ୍ୟ “ଲକ୍ଷଣା ପରିଣୟ” ଏବଂ ଶ୍ରୀରାମ ସାଂସ୍କୃତିକ ଯୁବ ପରିଷଦ, ମଉଦା ପକ୍ଷରୁ ଗୀତିନାଟ୍ୟ “ଜରାସନ୍ଧ ବଧ” ମଞ୍ଚସ୍ଥ ହୋଇଥିଲା। ସେହିପରି ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମା’ ଶାରଳା ସାଂସ୍କୃତିକ ସଂସଦ, ମନୋହରପୁର ପକ୍ଷରୁ ଗୀତିନାଟ୍ୟ “କଳଙ୍କିନୀ” ଏବଂ ନନ୍ଦିବଟ ପାଣି ସାଂସ୍କୃତିକ ସଂସଦ, ଜଳେଶ୍ୱରପୁର ପରିବେଷଣ କରିଥିଲେ ଗଣକବିଙ୍କ ଅନ୍ୟତମ ଲୋକପ୍ରିୟ ଗୀତିନାଟ୍ୟ “ରତି ପ୍ରଦ୍ୟୁମ୍ନ ଚରିତ”। ଅଞ୍ଚଳ ତଥା ଆଖପାଖ ଗ୍ରାମରୁ ଆସିଥିବା ଶହ ଶହ ଦର୍ଶକ ଉପସ୍ଥିତ ରହି ଏହି ମନୋଜ୍ଞ ଗୀତିନାଟ୍ୟଗୁଡ଼ିକୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ।
