ଝଙ୍କଡ଼, ତା ୨୬/୧୦/୨୦୨୬: ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଝଙ୍କଡ଼ ସାହିତ୍ୟ ସଂସଦର ଏକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ଗତ ସୋମବାର ପୂର୍ବାହ୍ନରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲସ୍ଥିତ ଜୟପ୍ରକାଶ ମଇଦାନରେ ଥିବା କୁମାରୋତ୍ସବ ସମିତିର ମଞ୍ଚରେ ଆୟୋଜିତ ଏହି ସଭାରେ ସଂସଦର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ ଷଡ଼ଙ୍ଗୀ ଯୋଗଦେଇ ବହୁ ଲବ୍ଧପ୍ରତିଷ୍ଠିତ କବିମାନଙ୍କ କାଳଜୟୀ କବିତାର ପଂକ୍ତି ଉଦ୍ଧାର କରିବା ସହ ଉପସ୍ଥିତ କବି ଓ କବୟିତ୍ରୀମାନଙ୍କୁ କାଳଜୟୀ କବିତା ରଚନା କରିବା ପାଇଁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ସଭାରେ ମୁଖ୍ୟବକ୍ତା ଭାବେ ସାହିତ୍ୟରତ୍ନ ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ବୈଜୟନ୍ତୀମାଳା ଶତପଥୀ ଏବଂ ବରେଣ୍ୟ ଅତିଥି ଭାବେ କୁମାରୋତ୍ସବ ସମିତିର ସଭାପତି ବିମଳକାନ୍ତ ମହାପାତ୍ର, ଉପଦେଷ୍ଟା ମଧୁସୂଦନ ପରିଜା, ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ରାଜ୍ୟ ସଭାପତି ଅକ୍ଷୟ କୁମାର ଦାସ, ପ୍ରାଧ୍ୟାପିକା ଡଃ ବିଷ୍ଣୁପ୍ରିୟା ଦାସ ଓ ମୈନାକ ସାହିତ୍ୟ ସଂସଦର ସମ୍ପାଦକ ନଗେନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟରେ ଓଡ଼ିଆ ଭାଷା-ସାହିତ୍ୟର ବିଭିନ୍ନ ଦିଗ ତଥା ଦିଗଦିଗନ୍ତ ଉପରେ ଆଲୋଚନା କରିଥିଲେ।
ସଙ୍ଗଠନ ସମ୍ପାଦକ ପଣ୍ଡିତ ବାସବ ନନ୍ଦ ଗୀତିକବିତା ମାଧ୍ୟମରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରତିଷ୍ଠାତା ସମ୍ପାଦକ ଝଙ୍କଡ଼ରତ୍ନ ଗୋଲକବିହାରୀ ପଲାଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡଃ ଅନୀଲ ଦାସ, ପ୍ରଶାନ୍ତ ମହାନ୍ତି, ହେମନ୍ତ କୁମାର ନାୟକ ଓ ନିତ୍ୟାନନ୍ଦ ନାୟକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଝଙ୍କଡ଼କନ୍ୟା ସବିତା ନାୟକ, ପ୍ରତିଭା ମିଶ୍ର ଓ ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀଙ୍କ ସଂଯୋଜନାରେ ସତୁରିରୁ ଊର୍ଦ୍ଧ୍ୱ କବି ଓ କବୟିତ୍ରୀ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋଲାପରାଣୀ ସାହୁ, ଅଶୋକ ଲେଙ୍କା, ରଞ୍ଜିତା ସାହୁ, ମାନସୀ ସ୍ୱାଇଁ, ପାୟଲ ମଣ୍ଡଳ, ଆଶିଷ ପରିଜା, ଖଗେଶ୍ୱର ମହାରଣା, ପଦ୍ମାବତୀ ମିଶ୍ର, ପ୍ରଭାତ ପରିଜା, ମାତୃପ୍ରସାଦ ଶତ୍ରୁଜିତ, ନାରାୟଣ ନାୟକ, ଦିଗମ୍ବର ରାଉତ, ‘ସୁଶ୍ରୀ ଶୁଭଶ୍ରୀ’ ପତ୍ରିକାର ସମ୍ପାଦିକା ବସନ୍ତ ମଞ୍ଜରୀ ଦାସ, ଗୀତା ଦାସ, ଆରତୀ ତ୍ରିପାଠୀ ଓ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ଡଃ ବନଲତା ପ୍ରଭା ପରିଡାଙ୍କ ସମ୍ପାଦିତ ‘ସବୁଜିମା’ ପତ୍ରିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଶେଷରେ ସଂସଦର କୋଷାଧ୍ୟକ୍ଷ ଝୁଲରାମ ଦାସ ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
