କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ତଥା ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯିବାର ଗୋଟିଏ ଦିନ ପରେ ତାଙ୍କ ମାଆ ଏହି ହତ୍ୟାମାଣ୍ଡ ପାଇଁ ତୃଣମୂଳ କଂଗ୍ରେସକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ପରାଜୟ ପରେ ଟିଏମ୍ସି ତାଙ୍କ ପୁଅକୁ ହତ୍ୟା କରି ଏହାର ପ୍ରତିଶୋଧ ନେଇଛି।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ହାସିରାଣୀ ରଥ କହିଛନ୍ତି ଯେ ତାଙ୍କ ପୁଅକୁ ଯୋଜନାବଦ୍ଧ ଆକ୍ରମଣରେ ହତ୍ୟା କରାଯାଇଛି ଏବଂ ଏଥିପାଇଁ ଦାୟୀ ଲୋକଙ୍କୁ କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି। ମୁଁ ଚାହେଁ ଦୋଷୀଙ୍କୁ ଦଣ୍ଡ ଦିଆଯାଉ। ମୁଁ ଜଣେ ମା’, ମୁଁ ଚାହେଁ ନାହିଁ ଯେ ସେମାନଙ୍କୁ ଫାଶୀ ଦିଆଯାଉ। ମୁଁ ସେମାନଙ୍କ ପାଇଁ ଆଜୀବନ କାରାଦଣ୍ଡ ଚାହୁଁଛି ବୋଲି ସେ ଭାବପ୍ରବଣ ହୋଇ କହିଥିଲେ।
ଏହି ଆକ୍ରମଣ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଦାବି କରି ସେ ଅଭିଯୋଗ କରିଛନ୍ତି ଯେ, ୨୦୨୧ ମସିହାରୁ ଅଧିକାରୀ ନନ୍ଦୀଗ୍ରାମରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା ପରଠାରୁ ତାଙ୍କ ପରିବାର ପ୍ରତି ବିପଦ ରହିଛି। ବିଜେପି କ୍ଷମତାକୁ ଆସିଥିବାରୁ ସେମାନେ ଏପରି କରିଥିଲେ। ଶାସକ ଦଳର ନେତାମାନେ ଉତ୍ତେଜନାମୂଳକ ମନ୍ତବ୍ୟ ଦେଉଥିଲେ ଓ ଆମକୁ ଧମକ ଦେଉଥିଲେ। ମେ ୪ ପରେ ସେମାନେ କହିଥିଲେ ଯେ ଦିଲ୍ଲୀର କେହି ଆମକୁ ବଞ୍ଚାଇ ପାରିବେ ନାହିଁ। ବର୍ତ୍ତମାନ ସେମାନେ ଯାହା କହିଥିଲେ ତାହା କରି ଦେଖାଇଛନ୍ତି।
ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ମଧ୍ୟମଗ୍ରାମ ନିକଟରେ ଭାରତୀୟ ବାୟୁସେନାର ପୂର୍ବତନ ଅଧିକାରୀ ଚନ୍ଦ୍ରନାଥ ରଥଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ବିଜେପି ନେତା ଅର୍ଜୁନ ସିଂହ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଏହି ଆକ୍ରମଣର ଯୋଜନା କରିଥିବା ଅଭିଯୋଗ କରିଥିଲେ। ତେବେ ତୃଣମୂଳ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ହତ୍ୟାକାଣ୍ଡକୁ ନିନ୍ଦା କରିଛି।
