ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏବଂ ରାଜ୍ୟ ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ବୈଠକରେ ଟ୍ରାଫିକ୍ ନିୟମର କଡ଼ାକଡ଼ି କାର୍ଯ୍ୟକାରିତା, ଜାତୀୟ ରାଜପଥରେ ପାଟ୍ରୋଲିଂ, ସିସିଟିଭି ମାଧ୍ୟମରେ ନିରୀକ୍ଷଣ, ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ ସ୍କୁଲ-କଲେଜ ସ୍ତରରେ ସଡ଼କ ସୁରକ୍ଷା ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା।
ଦୁର୍ଘଟଣାପ୍ରବଣ ଜିଲ୍ଲା ଉପରେ ବିଶେଷ ନଜର:
ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦୁର୍ଘଟଣା ହାର ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଡିଜିପି ଚିନ୍ତା ପ୍ରକଟ କରିଥିଲେ। ବିଶେଷକରି, ଦୁଇଚକିଆ ଯାନ ଆରୋହୀମାନେ ଅଧିକ ସଂଖ୍ୟାରେ ଦୁର୍ଘଟଣାର ଶିକାର ହେଉଥିବାରୁ ଏହି ୫ଟି ଜିଲ୍ଲାରେ ତୁରନ୍ତ ୫୦୦ ଟ୍ରାଫିକ ୱାର୍ଡେନ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ପୃକ୍ତ ଜିଲ୍ଲାର ଏସପିମାନେ ଏହି ୱାର୍ଡେନମାନଙ୍କୁ ନିଯୁକ୍ତି ଦେବା ସହ ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି କାର୍ଯ୍ୟରେ ନିୟୋଜିତ କରିବେ ବୋଲି ଡିଜିପି ସୂଚନା ଦେଇଛନ୍ତି।
ଡିଜିପିଙ୍କ କଡ଼ା ନିର୍ଦ୍ଦେଶ:
ଡିଜିପି ଶ୍ରୀ ଖୁରାନିଆ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବେପରୁଆ ଗାଡ଼ିଚାଳନା ଯୋଗୁଁ ଯେପରି କୌଣସି ନିରୀହ ବ୍ୟକ୍ତିଙ୍କ ଜୀବନ ନ ଯାଏ, ସେଥିପ୍ରତି ସଜାଗ ରହିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ, ଜିଲ୍ଲାର ଆରଟିଓ, ପୋଲିସ ଏବଂ ଅନ୍ୟ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ଦୁର୍ଘଟଣା ରୋକିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା:
-
ଦୁର୍ଘଟଣାପ୍ରବଣ ଅଞ୍ଚଳ (Black Spot) ଚିହ୍ନଟ କରିବା।
-
ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ।
-
ଗାଡ଼ି ଚଳାଇବା ସମୟରେ ସିଟ୍ବେଲ୍ଟ ଏବଂ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିବା।
-
ଜାତୀୟ ରାଜପଥ ପାର୍ଶ୍ଵରେ ବେଆଇନ ଭାବେ ପାର୍କିଂ କରୁଥିବା ଭାରୀଯାନ ଉପରେ କାର୍ଯ୍ୟାନୁଷ୍ଠାନ।
-
ଦୁର୍ଘଟଣା ପରେ ତୁରନ୍ତ ଚିକିତ୍ସା ପାଇଁ ଜାତୀୟ ରାଜପଥରେ ଆମ୍ବୁଲାନ୍ସ ମୁତୟନ କରିବା।
ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଉପକୂଳ ଏବଂ ରେଳବାଇ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ରାଜ୍ୟ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସେହିପରି, ସମସ୍ତ ରେଞ୍ଜର ଆଇଜି/ଡିଆଇଜି ଏବଂ ଜିଲ୍ଲା ଏସପିମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
