ଭୁବନେଶ୍ବର, ୨୨/୯: ଟାକ୍ସିଚାଳକ ବିଦ୍ୟାଧର ସାହୁ ଓରଫ ମଣ୍ଟୁଙ୍କୁ ଅପହରଣ ପରେ ହତ୍ୟାକରି ଫୋପାଡ଼ି ଦେଇଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବା ଲାଗି କମିସନରେଟ୍ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଚଳାଇଛି। ଆଜି ପୁଲିସର ୨ଟି ଟିମ୍ ଯାଜପୁର ଓ ପାରଳାଖେମୁଣ୍ଡି ସମେତ ୫ଟି ଜାଗାରେ ଚଢ଼ଉ କରିଥିଲା। ଆଜି ପାରଳାଖେମୁଣ୍ଡିରୁ ୫ଜଣଙ୍କୁ ପୁଲିସ ଉଠାଇ ଆଣିଛି। ସେମାନେ ହେଲେ ରବୀନ୍ଦ୍ର ବେହେରା, କରୁଣା ସାଗର, ରମେଶ ବେହେରା, ଦୀପକ ସାହୁକାର ଓ ମୋହନ ବେହେରା। ପୂର୍ବରୁ ଜଣେ ଅଟକ ରହିଥିଲା। ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିବାକୁ ଏବେ ପୁଲିସ ୬ଜଣଙ୍କୁ ମାରାଥନ୍ ଜେରା କରୁଛି। ଚାକିରି କରାଇବା ବାହାନାରେ ଠକେଇ କରିଥିବା ଏକ ରୢାକେଟ୍ର ସଦସ୍ୟ ଥିବାରୁ ମଣ୍ଟୁଙ୍କୁ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ପୁଲିସ ଠକେଇ ମାମଲାକୁ ନେଇ ମଧ୍ୟ ଖୋଳତାଡ଼ ଚଳାଇଛି। ମାତ୍ର ଠକେଇ ମାମଲାର ମାଷ୍ଟରମାଇଣ୍ଡ୍ ଜ୍ୟୋତ୍ସ୍ନା ମାଡାମ୍ଙ୍କୁ ପୁଲିସ ଠାବ କରିପାରି ନାହିଁ। ବରମୁଣ୍ଡା ଅଞ୍ଚଳରେ ଏକ କନ୍ସଲ୍ଟାନ୍ସି କାର୍ଯ୍ୟାଳୟ ଖୋଲି କୋଟିକୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିବା ଜ୍ୟୋତ୍ସ୍ନାକୁ ପାଇବା ପରେ ମଣ୍ଟୁ ହତ୍ୟାକାଣ୍ଡର ବହୁ ଗୁମର ପଦାକୁ ଆସିବ। ତେଣୁ ପୁଲିସ ଏବେ ଖଳନାୟିକା ଜ୍ୟୋତ୍ସ୍ନାର ପିଛା କରିବାରେ ଲାଗିପଡ଼ିଛି।
