ଏସ୍‌ଆଇ ପରୀକ୍ଷାରେ ୨୯ କୋଟି ୨୫ ଟଙ୍କାର କେ‌ଳଙ୍କାରୀ ସାମନାକୁ ଆସିଛି

ଅପରାଧ ଜିଲା ଖବର ବ୍ରହ୍ମପୁର ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର/ବ୍ରହ୍ମପୁର/କଟକ,୧/୧୦: ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ବାରା ପରିଚାଳିତ ପୁଲିସ ଏସ୍‌ଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ସାମନାକୁ ଆସିଛି। ଏହି ସମ୍ବେଦନଶୀଳ ଘଟଣା ପଦାକୁ ଆସିବା ପରେ ପୁଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଛି। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୧୭ ଜଣ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି। ଏହି କେ‌ଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସଂପର୍କିତ ତଥ୍ୟ ସାମନାକୁ ଆସିଛି। ଗିରଫ ହୋଇଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ବେଳେ ପରୀକ୍ଷା ପରେ ସେମାନେ ଆଉ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବେ ବୋଲି ଡିଲ୍ ହୋଇଥିଲା। ଏଭଳି ଘଟଣା ସଂପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବ୍ରହ୍ମପୁରରେ ରହି ଘଟଣାର ଅନୁଧ୍ୟାନ କରୁଛନ୍ତି। କ୍ରାଇମବ୍ରାଞ୍ଚର ଜଣେ ଏସ୍‌ପିଙ୍କ ନେତୃତ୍ବରେ ୫ ଜଣ ଅଧିକାରୀଙ୍କୁ ନେଇ ତଦନ୍ତକାରୀ ଟିମ୍‌ ବାଲେଶ୍ବର ଓ ବ୍ରହ୍ମପୁରରେ ତଦନ୍ତ କରୁଥିବା ବେଳେ ସେମାନଙ୍କୁ ଉକ୍ତ ଜିଲ୍ଲା ପୁଲିସର ଆଉ ଏକ ଟିମ୍ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛି।

ସୂଚନା ଅନୁଯାୟୀ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ପକ୍ଷରୁ ପୁଲିସ ଏସ୍‌ଆଇ ସମେତ ପୁଲିସ ଏସ୍‌ଆଇ(ଆର୍ମଡ), ଅଗ୍ନିଶମ ଷ୍ଟେସନ ଅଫିସର, ସହକାରୀ ଜେଲର୍ ପାଇଁ ଯୁଗ୍ମ ପୁଲିସ ସେବା ପରୀକ୍ଷା(ସିପିଏସ୍‌ଇ-୨୦୨୪)ରେ ମୋଟ ୧ ଲକ୍ଷ ୫୩ ହଜାର ୫୦୦ ପ୍ରାର୍ଥୀ ଆବେଦନ କରିଥିଲେ। ୯୩୩ ପଦବି ପୂରଣ ପାଇଁ ଏହି ପରୀକ୍ଷା ଓପିଆର୍‌ବି ପକ୍ଷରୁ କରାଯାଇଥାନ୍ତା। ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାରେ କେବଳ ପୁଲିସ ଏସ୍‌ଆଇ ପଦବି ପାଇଁ ୬୦୦ ପାଖାପାଖି ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ସଂସ୍ଥା ବସ୍ ଯୋଗେ ସୋମବାର ପ୍ରଶ୍ନପତ୍ର ଯୋଗାଇବାକୁ ନେଉଥିବା ସଂକ୍ରାନ୍ତରେ ଏକ ଗୁଇନ୍ଦା ସୂଚନା ଓପିଆର୍‌ବିର ହସ୍ତଗତ ହୋଇଥିଲା। ଏହି ସୂଚନା ଆଧାରରେ ସୋମବାର ସନ୍ଧ୍ୟାରେ କାରାଗାର ଡିଜି ତଥା ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବୋର୍ଡ ବସିଥିଲା। ମଙ୍ଗଳବାର ଦିନ ପୁଣି ଥରେ ବୋର୍ଡ ବୈଠକରେ ଆଲୋଚନା କରାଯାଇ ପରୀକ୍ଷାକୁ ବାତିଲ କରାଯାଇଛି। ଅଧ୍ୟକ୍ଷଙ୍କ ପକ୍ଷରୁ ଏ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରାଯାଇଛି। ଯେଉଁ ସୂତ୍ରରୁ ଏ ପ୍ରକାର ତଥ୍ୟ ହସ୍ତଗତ ହୋଇଥିଲା, ସେ ସମ୍ପର୍କିତ ତଥ୍ୟ ଏବଂ ଯୋଗାଯୋଗ ନମ୍ବର କ୍ରାଇମବ୍ରାଞ୍ଚରେ ଦାଖଲ କରାଯାଇଛି। କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ: ୧୧୭ ପରୀକ୍ଷାର୍ଥୀ, ୨ ଦଲାଲ ଗିରଫ ।

Leave a Reply

Your email address will not be published. Required fields are marked *