ଭୁବନେଶ୍ବର,୨/୧୦: ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ସତ୍ୟ ଓ ଅହିଂସାର ପ୍ରତୀକ ‘ମହାତ୍ମା ଗାନ୍ଧୀ’ଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ତାଙ୍କ ପ୍ରଦର୍ଶିତ ସ୍ୱଦେଶୀ ଓ ଆତ୍ମନିର୍ଭରତାର ମାର୍ଗ ଆଜି ବିକଶିତ ଭାରତର ମୂଳମନ୍ତ୍ର ସାଜିଛି। ତାଙ୍କ ଆଦର୍ଶ ସର୍ବଦା ଆମ ପାଇଁ ପ୍ରେରଣା ହୋଇ ରହିବ । ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ତାଙ୍କରି ନେତୃତ୍ଵରେ ହିଁ ଦେଶରେ ‘ଶ୍ବେତ ବିପ୍ଳବ’ ଓ ‘ସବୁଜ ବିପ୍ଳବ’ ଆରମ୍ଭ ହୋଇଥିଲା । ସ୍ଵଦେଶୀ ବିଚାର, ସରଳ ଜୀବନ ଶୈଳୀ ମାଧ୍ୟମରେ ଦେଶରେ ଶାନ୍ତି, ମୈତ୍ରୀ ପ୍ରତିଷ୍ଠା କରିବାରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ।
ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ ପାଟି, ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ନୀତି, ଆଦର୍ଶ ଏବଂ ଅବଦାନକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ମନେ ପକାଇଥିଲେ।
