କଟକ: ଚୌଦ୍ବାର ସର୍କଲ ଜେଲ୍ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଜାମିନ ଆବେଦନର ହାଇକୋର୍ଟରେ ଆଜି ପ୍ରାରମ୍ଭିକ ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ କେସ ଡାଏରି ଦାଖଲ କରିବା ସହିତ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ରାଉଳଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଦୁର୍ଗାପୂଜା ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅଗଷ୍ଟ ୨୯ରେ ଶ୍ରୀ ରାଉଳଙ୍କୁ ଆଗୁଆ ଜାମିନ ଦେବାକୁ ହାଇକୋର୍ଟ ମନା କରିଥିଲେ। ସେପ୍ଟେମ୍ବର ୨୧ରେ ଶ୍ରୀ ରାଉଳଙ୍କୁ ଗିରଫ କରି ଚୌଦ୍ବାର ପୁଲିସ କୋର୍ଟ ଚାଲାଣ କରିଥିଲା। ଟାଙ୍ଗୀ-ଚୌଦ୍ବାର ଜେଏମଏଫସି ଅଦାଲତରେ ଜାମିନ ଖାରଜ ହେବା ପରେ ଶ୍ରୀ ରାଉଳ ଦୌରା ଅଦାଲତରେ ଏ ନେଇ ଆବେଦନ କରି ନିରାଶ ହୋଇଥିଲେ। ସେପ୍ଟେମ୍ବର ୩୦ରେ କଟକ ଅତିରିକ୍ତ ଦୌରା ଜଜ ତଥା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଶ୍ରୀ ରାଉଳଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ ଯେ ଦୁଇ ଦୁର୍ଦ୍ଦାନ୍ତ କଏଦୀ ଫେରାର ଘଟଣା ପରେ ବରିଷ୍ଠ ଅଧୀକ୍ଷକ ଶ୍ରୀ ରାଉଳଙ୍କ ବିରୋଧରେ ଚୌଦ୍ବାର ଥାନାରେ ଚୌଦ୍ବାର ଜେଲ୍ର ପୂର୍ବତନ ଜେଲର୍ ଗୁରୁତର ଅଭିଯୋଗ ଆଣି ଏତଲା ଦେଇଥିଲେ। ସରକାରୀ ରେକର୍ଡ ହେରଫେର ଓ ସରକାରୀ ଡ୍ୟୁଟିରେ ଥାଇ ଅପରାଧୀକ ବ୍ୟବହାର ଭଳି ସଂଗିନ କାର୍ଯ୍ୟରେ ସଂପୃକ୍ତ ଥିବା ନେଇ ଶ୍ରୀ ରାଉଳଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ୨୦୨୫, ଅକ୍ଟୋବର ୨ରେ ‘ସୁପରିନଟେଣ୍ଡେଣ୍ଟ ମିନିଟ ବୁକ୍’ରେ ଜେଲରଙ୍କ ଦସ୍ତଖତ ଜାଲିଆତି କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା।
