ଭାରତ ପାକିସ୍ତାନକୁ ଖୋଲା ଚେତାବନୀ : ମୁନିରଙ୍କ ନିଦ ହଜିଲା

ଦେଶବିଦେଶ
Spread the love

ନୂଆଦିଲ୍ଲୀ,୪/୧୦: ରାଜସ୍ଥାନର ଅନୁପଗଡ଼ସ୍ଥିତ ଆର୍ମି ପୋଷ୍ଟରେ ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି। ପଶ୍ଚିମରେ ଥିବା ପଡ଼ୋଶୀ ଆତଙ୍କବାଦର ମାଷ୍ଟରମାନଙ୍କୁ ପ୍ରୋତ୍ସାହନ ଦେବା ନେଇ କୁଖ୍ୟାତ। ପାକିସ୍ତାନ ଯଦି ମାନଚିତ୍ରରେ ନିଜ ଭୌଗୋଳିକ ଅବସ୍ଥିତି ବଜାୟ ରଖିବାକୁ ଚାହେଁ ତେବେ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ରପ୍ତାନି ବନ୍ଦ କରୁ। ଅନ୍ୟଥା ଭାରତ ଆଉ ସଂଯମ ହେବ ନାହିଁ ବୋଲି ସେନାମୁଖ୍ୟ କହିଛନ୍ତି। ସେନାମୁଖ୍ୟ ଚେତାବନୀ ଶୁଣି ପାକିସ୍ତାନ ସେନାମୁଖ୍ୟ ଅସିମ ମୁନିର ନିଦ ହଜିଯାଇଛି।

ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରି ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଭାରତୀୟ ସଶସ୍ତ୍ର ବଳ ଏହାର ଜବାବ ଦେବାକୁ ଯାଇ ମେ’ ୭ରୁ ୧୦ ପର୍ଯ୍ୟନ୍ତ ‘ଅପରେଶନ ସିନ୍ଦୂର’ ଚଳାଇଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଓ ପାକ-ଅଧିକୃତ କଶ୍ମୀର (ପିଓକେ)ସ୍ଥିତ ଅନେକ ଆତଙ୍କବାଦୀ ନିହତ ହେବା ସହ ସେମାନଙ୍କ ଭିତ୍ତିଭୂମି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ସେବେଠୁ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବ୍ଯଯଯୁଦ୍ଧ ଜାରି ରହିଥିବାବେଳେ ଗୁଜରାଟର ରଣନୈତିକ କ୍ଷେତ୍ର ସାର୍‌ କ୍ରିକ୍ରେ ପାକିସ୍ତାନୀ ସେନାର ସାମରିକ ଗତିବିଧି ବୃଦ୍ଧି ନେଇ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚେତାବନୀ ଦେଇଥିଲେ। ପାକିସ୍ତାନୀ ସେନା ଏହି ଅଞ୍ଚଳରେ ଅତିକ୍ରମଣ ଉଦ୍ୟମ କଲେ ଭାରତ ଏପରି ଜବାବ ଦେବ ଯେ ପାକିସ୍ତାନର ଇତିହାସ ଓ ଭୂଗୋଳ ବଦଳିଯିବ ବୋଲି ରାଜନାଥ କହିଥିଲେ। ଏହାର ଦିନକ ପରେ ସ୍ଥଳସେନା ମୁଖ୍ୟ ଜେନେରାଲ ଦ୍ୱିବେଦୀ ରାଜସ୍ଥାନର ଅନୁପଗଡ଼ରୁ ଇସ୍ଲାମାବାଦକୁ କଡ଼ା ଚେତାବନୀ ଦେଇଛନ୍ତି। ଦ୍ୱିବେଦୀ କହିଛନ୍ତି, ଭାରତୀୟ ବଳ ଏଥର ଆଉ ଅପରେଶନ ସିନ୍ଦୂର ୧.୦ ଭଳି ସଂଯମ ହେବ ନାହିଁ। ପାକିସ୍ତାନ ଭୂଗୋଳରେ ରହିବାକୁ ଚାହେଁ କି ନାହିଁ ତାହା ସ୍ଥିର କରୁ। ଯଦି ରହିବାକୁ ଚାହେଁ ତେବେ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ବନ୍ଦ କରିବା ଜରୁରୀ। ଯବାନମାନଙ୍କୁ ସମ୍ବୋଧନ ବେଳେ ଦ୍ୱିବେଦୀ ଆହୁରି କହିଛନ୍ତି, ଯଦି ଭଗବାନଙ୍କ ଇଚ୍ଛା ଥିବ, ତେବେ ଆପଣମାନେ ଶୀଘ୍ର ଏକ ସୁଯୋଗ ପାଇବେ। ଏଥିପାଇଁ ପ୍ରସ୍ତୁତ ରୁହନ୍ତୁ।

Leave a Reply

Your email address will not be published. Required fields are marked *