ପାଟନା, ୬/୧୦: ନିର୍ବାଚନ କମିଶନ ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବା ସହ ଫଳାଫଳ ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୬ରେ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୧୧ରେ ଅନୁଷ୍ଠିତ ହେବ। ମତଦାନ ଶେଷ ହେବା ପରେ ନଭେମ୍ବର ୧୪ରେ ଭୋଟ୍ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ।
ବିହାରରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବା ସହ ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ଟି ଆସନ ପାଇଁ ନାମାଙ୍କନ ଦାଖଲ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ୧୭ ଅକ୍ଟୋବର ସୁଦ୍ଧା ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୦ ଅକ୍ଟୋବର ସୁଦ୍ଧା ନାମାଙ୍କନ ଦାଖଲ କରାଯିବ।ପ୍ରଥମ ଥର ପାଇଁ, ବିହାରରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଜଣେ ଲେଖାଏଁ, ମୋଟ ୨୪୩ ଜଣ ସାଧାରଣ ପର୍ଯ୍ୟବେକ୍ଷକ ନିର୍ବାଚନ ପ୍ରକ୍ରିୟା ତଦାରଖ କରିବେ। ପୂର୍ବରୁ, ଅନେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ପର୍ଯ୍ୟବେକ୍ଷକ ରହୁଥିଲେ। ଏଥିରେ ୩୮ଜଣ ପୁଲିସ ଅଧିକାରୀ ଏବଂ ୬୭ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଧ୍ୟ ଅଛନ୍ତି।ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ବିହାରରେ ୮.୫୩ ଲକ୍ଷ ମତଦାନ କର୍ମଚାରୀ ରହିବେ, ଯେଉଁଥିରେ ମତଦାନ ପାଇଁ ୧୭,୮୦୦ କ୍ଷୁଦ୍ର ପର୍ଯ୍ୟବେକ୍ଷକ ଏବଂ ଗଣନା ପାଇଁ ୪,୮୦୦ କ୍ଷୁଦ୍ର ପର୍ଯ୍ୟବେକ୍ଷକ ସାମିଲ ଅଛନ୍ତି। ବିହାରରେ ୨୯୦୦ରୁ ଅଧିକ ଗଣନା ଅଧିକାରୀ ଏବଂ ୨.୫ ଲକ୍ଷ ପୁଲିସ ଅଧିକାରୀ ନିୟୋଜିତ ହେବେ।ନିର୍ବାଚନ କମିଶନ ଗତ ଦୁଇ ଦିନ ଧରି ବିହାର ଗସ୍ତ କରି ସମସ୍ତ ରାଜନୈତିକ ଦଳଙ୍କ ସହ ବୈଠକ କରିଥିଲେ। ଏହା ପରେ ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ ତାରିଖରେ ଶେଷ ହେବାକୁ ଥିବା ବେଳେ ମୋଟ ୨୪୩ ବିଧାନସଭା ଆସନ ପାଇଁ ମତଦାନ ହେବ।
ନିର୍ବାଚନ ସମୟରେ ଏକ ୱାନ୍-ଷ୍ଟପ୍ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ତିଆରି କରାଯିବ। ଭୋଟର ଏବଂ ପ୍ରାର୍ଥୀମାନଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ନିର୍ବାଚନ ସମ୍ବନ୍ଧୀୟ ସୂଚନା ଯୋଗାଇ ଦିଆଯିବ। ପ୍ରାର୍ଥୀମାନେ ମତଦାନ କେନ୍ଦ୍ରର ୧୦୦ମିଟର ମଧ୍ୟରେ ସେମାନଙ୍କର ଏଜେଣ୍ଟମାନଙ୍କୁ ନିୟୋଜିତ କରିପାରିବେ। ଉପଯୁକ୍ତ ତଦାରଖ ସୁନିଶ୍ଚିତ କରିବା ପାଇଁ ବିହାରର ସମସ୍ତ ମତଦାନ କେନ୍ଦ୍ରକୁ ୧୦୦% ୱେବକାଷ୍ଟ କରାଯିବ। ଇଭିଏମରେ ସିରିଏଲ୍ ନମ୍ବର ମଧ୍ୟ ବଡ଼ ଅକ୍ଷରରେ ରହିବ।
