ଖଟିଆରେ ବୁହାହେଲେ ଗର୍ଭବତୀ

କଳାହାଣ୍ଡି ଜିଲା ଖବର ରାଜ୍ୟ
Spread the love

ଥୁଆମୂଳ ରାମପୁର,୧୧/୧୦ : ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା। ଜନନୀ ଯନ୍ତ୍ରଣାର ଏଭଳି ଏକ ଚିତ୍ର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଗୁଣୁପୁର ପଞ୍ଚାୟତ ମେର୍କାତାରା ଗାଁରେ ଦେଖିବାକୁ ମିଳିଛି।ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନରେ ଗାଁର ଗୁଂସେନ ମାଝୀଙ୍କ ସ୍ତ୍ରୀ ରଗ୍ନି ମାଝୀଙ୍କ ଗର୍ଭଯନ୍ତ୍ରଣା ହେବା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ଭଲ ନ ଥିବାରୁ ଅଢ଼େଇ କିଲୋମିଟର ଦୂରରେ ଅଟକି ରହିଥିଲା।ପରିବାର ଲୋକେ ବାଧ୍ୟହୋଇ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ସେଠାରୁ ତାଙ୍କୁ ସାଇସୁରୁଣୀ ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତରଖାନାରେ ମହିଳା ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୨ତାରିଖରେ ହୋଇଥିବା ଲଘୁଚାପ ବର୍ଷାରେ ମଦାଙ୍ଗଗୁଡ଼ା-ମେର୍କାତାରା ରାସ୍ତା ଶୋଚନୀୟ ହୋଇପଡିଛି। ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏହି ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *