ଶାନ୍ତି ପ୍ରସ୍ତାବକୁ ଆଫ୍‌ଗାନିସ୍ତାନର ପ୍ରତ୍ୟାଖ୍ୟାନ

ଦେଶବିଦେଶ
Spread the love

କାବୁଲ, ୧୪/୧୦: ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ବର୍ତ୍ତମାନ ଦୁଇ ପଡୋଶୀ ରାଷ୍ଟ୍ର ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ଉପନୀତ ହୋଇଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟପକ୍ଷରୁ ଏକାଧିକ ସୈନ୍ୟ ନିପାତ ହୋଇସାରିଥିବାବେଳେ ଦୁଇ ଦେଶର ଆନ୍ତର୍ଜାତିକ ସୀମାକୁ ସିଲ୍‌ କରାଯାଇଛି। କାତାର ଓ ସାଉଦି ଆରବର ମଧ୍ୟସ୍ଥତା ଯୋଗୁଁ ଏହି ସଂଘର୍ଷ ବର୍ତ୍ତମାନ ସ୍ଥଗିତ ରହିଥିଲେ ସୁଦ୍ଧା ଉତ୍ତେଜନା ପ୍ରଶମିତ ହୋଇନାହିଁ।ଏହି ପରିପ୍ରେକ୍ଷୀରେ ପାକିସ୍ତାନ ପକ୍ଷରୁ ଆଗତ ଶାନ୍ତି ପ୍ରସ୍ତାବକୁ ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି। ଏଥିସହିତ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ, ଆଇଏସଆଇ ମୁଖ୍ୟ ଅସୀମ ମାଲିକ ଏବଂ ଅନ୍ୟ ଦୁଇ ବରିଷ୍ଠ ସେନା ଅଧିକାରୀଙ୍କ ଭିସା ଆବେଦନକୁ ତାଲିବାନ ଖାରଜ କରିଥିବା ପ୍ରକାଶ। ବିଗତ ତିନିଦିନ ମଧ୍ୟରେ ଏମାନଙ୍କ ଭିସା ଆବେଦନ ତିନିଥର ଖାରଜ ହୋଇସାରିଲାଣି। ସୂଚନାଯୋଗ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚିରାଚରିତ ଅଭ୍ୟାସ ଅନୁଯାୟୀ ପାକିସ୍ତାନ-ଆଫ୍‌ଗାନିସ୍ତାନ ଯୁଦ୍ଧରେ ମଧ୍ୟସ୍ଥତା କରିବାକୁ ଅଣ୍ଟା ଭିଡିଥିବା ଜଣାପଡିଛି। ହମାସ୍‌ ପକ୍ଷରୁ ଇସ୍ରାଏଲ ପଣବନ୍ଦୀଙ୍କୁ ଖଲାସ ପାଇଁ ଟ୍ରମ୍ପ ବର୍ତ୍ତମାନ ଇସ୍ରାଏଲ ଗସ୍ତରେ ଯାଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଆମେରିକା ଫେରିବା ପରେ ପାକ୍‌-ଆଫ୍‌ଗାନ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ କରିବେ।

Leave a Reply

Your email address will not be published. Required fields are marked *