ଭୁବନେଶ୍ବର, ୧୬/୧୦: ରାଜଧାନୀର ଗଳିଗଳିରେ ବନ୍ଧୁକ ବୁଲିଲାଣି। ଅପରାଧୀମାନେ ଅଣ୍ଟାରେ ବନ୍ଧୁକ ଖୋସି ବେଧଡ଼କ ବୁଲୁଛନ୍ତି। କଥା କଥାକେ ବନ୍ଧୁକ ଗର୍ଜୁଛି। ନିଶାବେପାରୀ, ଖଣିମାଫିଆ, ଗୋ-ଚାଲାଣକାରୀ ଓ ଜମିମାଫିଆଙ୍କ ପାଖରେ ବନ୍ଧୁକ ଏକ ସାଧାରଣ ଅସ୍ତ୍ର ହୋଇଯାଇଛି। ଗତ ୧୦ମାସ ଭିତରେ ପୁଲିସ ଅପରାଧୀମାନଙ୍କଠାରୁ ୪୦ରୁ ଅଧିକ ବନ୍ଧୁକ ଜବତ କଲାଣି ଏବଂ ଏହି ଆଗ୍ନେୟାସ୍ତ୍ର ବ୍ୟବହାର କରୁଥିବା ୩୯ ଅପରାଧୀଙ୍କୁ ବାନ୍ଧି ଜେଲ୍ ପଠାଇଛି। ଏତେ ପରିମାଣର ପିସ୍ତଲ ଜବତ ହେବା କଥା କମିସନରେଟ୍ ପୁଲିସ ପାଇଁ ସଫଳତା ବୋଲି କୁହାଯାଉଥିଲେ ହେଁ ଅପରାଧୀଙ୍କ ଅଣ୍ଟାରେ ପିସ୍ତଲ ସାଧାରଣରେ ଚିନ୍ତା ବଢ଼ାଇଛି। ଶାନ୍ତିପ୍ରିୟ ଓଡ଼ିଶା ଖୁବ୍ଶୀଘ୍ର ବିହାର ହେବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। କଟକ ବୟାଳିଶ ମୌଜାରେ ବିହାରୀ ମାଫିଆ ପିସ୍ତଲ କାରଖାନା ବସାଇବା ଭଳି ଘଟଣା ପଦାକୁ ଆସିବା ପରେ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି
