ହେଜେକ୍ସ ଫଣ୍ଡ ଓଡ଼ିଶା ମୁଖ୍ୟ ଗିରଫ

ଅପରାଧ ଦେଶବିଦେଶ ରାଜ୍ୟ
Spread the love

ଭୁବନେଶ୍ୱର, ୧୯/୧୦: ଦେଶରୁ ୧୦୦୦ କୋଟି, ରାଜ୍ୟରୁ ୧୩୯ କୋଟି ଟଙ୍କା ଠକି ନେଇଥିବା ହେଜେକ୍ସ ଫଣ୍ଡ ଏଲ୍‌ଏଲ୍‌ପି ସଂସ୍ଥାର ଓଡ଼ିଶା ମୁଖ୍ୟକୁ ଅର୍ଥନୈତିକ ଅପରାଧ ଶାଖା ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା କଟକ ବୟାଳିଶ ମୌଜାର ପ୍ରତାପ କୁମାର ରାଉତ। ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ଲାଗି ଇଓଡବ୍ଲ୍ୟୁ ତଦନ୍ତ ଜାରି ରଖିଛି।ଇଓଡବ୍ଲ୍ୟୁ ସୂତ୍ରରୁ ପ୍ରକାଶ, ହେଜେକ୍ସ ଫଣ୍ଡ ଏଲ୍‌ଏଲ୍‌ପି କମ୍ପାନୀ ୨୦୨୩ରେ ଗୋଆରେ ‌ପଞ୍ଜିକୃତ ହୋଇଥିଲା। ଦିନେଶ କୁମାର ଜୈନ ଏବଂ କୁଲଦୀପ ସିଂହ ପନୱାର କମ୍ପାନୀ ମାଲିକ ଥିବାବେଳେ ଅଭିଯୁକ୍ତ ପ୍ରତାପ ତାଙ୍କ ସହ ଭାଗୀଦାର ରହି ଓଡ଼ିଶା ଦାୟିତ୍ବ ନେଇଥିଲା। ୧୦ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ଦିଲ୍ଲୀ ଏବଂ ଓଡ଼ିଶାରେ ସଂସ୍ଥା କାର୍ଯ୍ୟାଳୟ ଖୋଲି ଠକେଇ ଜାଲ ବିଛାଇଥିଲା। ହେଜେକ୍ସ ଫଣ୍ଡ ଏଲ୍‌ଏଲ୍‌ପି ୩ ଲକ୍ଷରୁ ଅଧିକ ଜମାକାରୀଙ୍କଠାରୁ ପ୍ରାୟ ୧୦୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା। ଓଡ଼ିଶାରେ ୧୨୦୦ରୁ ଅଧିକ ଜମାକାରୀଙ୍କଠାରୁ ୧୩୯କୋଟି ଟଙ୍କା ନେଇଥିଲା। ଜମା ଅର୍ଥର ୧୧ରୁ ୧୮ ପ୍ରତିଶତ ମାସିକ ରିଟର୍ଣ୍ଣ ପାଇଁ ଅବସରପ୍ରାପ୍ତ କର୍ମଚାରୀ ବିଜୟ କୁମାର ପାଣିଗ୍ରାହୀଙ୍କୁ ଅଭିଯୁକ୍ତ ପ୍ରତାପ କହିଥିଲା। ତା’ କଥାକୁ ବିଶ୍ବାସ କରି ଅଭିଯୋଗକାରୀ ଠକ ପ୍ରତାପ ଦେଇଥିବା ଆକାଉଣ୍ଟରେ ଅବସରପ୍ରାପ୍ତ ଅର୍ଥ ୯୨.୬୦. ୪୮୦ ଟଙ୍କା ନିବେଶ କରିଥିଲେ। ଏହାର କିଛିଦିନ ପରେ କମ୍ପାନୀ ବନ୍ଦ ହୋଇ ଯାଇଥିଲା। ଅଭିଯୁକ୍ତ ପ୍ରତାପ ସହିତ ଯୋଗାଯୋଗ କରିବାରୁ ସେ ତାଙ୍କ ଟଙ୍କା ଫେରସ୍ତ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଥିଲା। ଠକାମିିରେ ପଡ଼ିବା ଜାଣିବା ପରେ ଶ୍ରୀ ପାଣିଗ୍ରାହୀଙ୍କ ଅନ୍ୟ କିଛି ଜମାକାରୀ ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଥିଲେ। ସେମାନଙ୍କ ଅଭିଯୋଗକୁ ଆଧାର କରି ଇଓଡବ୍ଲ୍ୟୁ ଘଟଣାର ତଦନ୍ତ ପରେ ଅଭିଯୁକ୍ତ ପ୍ରତାପକୁ ଗିରଫ କରିଥିଲା। ତା’ ନିକଟରୁ ଅନେକ ଅପରାଧମୂଳକ କାଗଜପତ୍ର ଜବତ କରାଯାଇଛି।ସୂଚନାଯୋଗ୍ୟ, ଏହି ଠକେଇ ପାଇଁ ଅଭିଯୁକ୍ତ ପ୍ରତାପ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରୁଥିଲା। କିଛି ଜମାକାରୀଙ୍କଠାରୁ ସେ ନଗଦ ଆକାରରେ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା। ହେଜେକ୍ସ ପାଣ୍ଠିକୁ ପ୍ରୋତ୍ସାହିତ କରିବା ପାଇଁ କଟକ ଏବଂ ଭୁବନେଶ୍ୱରରେ ଅନେକ ପ୍ରମୋସନାଲ ବୈଠକ ମଧ୍ୟ କରିଥିଲା। କୋଟି କୋଟି ଟଙ୍କାର ଜମା ନେବା ପରେ ହଠାତ ହେଜେକ୍ସ କାର୍ଯ୍ୟ କରିବା ବନ୍ଦ କରି ଦେଇଥିଲା। ହେଜେକ୍ସ ପାଣ୍ଠି ବନ୍ଦ ହେବା ପରେ ପ୍ରତାପ ଟଙ୍କା ଫେରସ୍ତ କରାଯିବ ବୋଲି ଜମାକାରୀଙ୍କୁ ଆଶ୍ୱସ୍ତି ଦେଇ ଦିନ ଗଡ଼ାଇ ଚାଲିଥିଲା। ହେଜେକ୍ସ ଅଂଶୀଦାର ଦିନେଶ ସହିତ ନିରନ୍ତର ଯୋଗାଯୋଗରେ ଅଛି କହି ଜମାକାରୀଙ୍କୁ ସେ ବୁଝାଉଥିଲା। ହେଜେକ୍ସ ଜମାକାରୀଙ୍କଠାରୁ ୨୦୨୩-୨୪ ଦୁଇ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଠକି ନେବାରେ ସଫଳ ହୋଇଥିଲା। ଅନ୍ୟପଟେ ଲୋକଙ୍କୁ ଠକିବା ଲାଗି କୌଶଳା ଫାଉଣ୍ଡେସନ, ଲାଭ୍ୟା ୱାର୍ଲ୍ଡ, ଫ୍ରିକ୍ସ ମାର୍କେଟ ଲାଭ୍ୟା ଇଣ୍ଟରନ୍ୟାସନାଲ ଇତ୍ୟାଦି ଅନେକ ସହଯୋଗୀ ସଂସ୍ଥା ହେଜେକ୍ସ ଫଣ୍ଡ ‌ସୃଷ୍ଟି କରିଥିଲା। ୧୦ଟି ରାଜ୍ୟରେ ଏଜେଣ୍ଟ ନିଯୁକ୍ତ କରି ମିଥ୍ୟା ପ୍ରତିଶ୍ରୁତି ବଳରେ ସାଧାରଣ ଲୋକଙ୍କୁ ଠକେଇ ଜାଲରେ ପକାଇବାରେ ସଂସ୍ଥା ସଫଳ ହୋଇଥିଲା। ସଂସ୍ଥାର ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ଇଓଡବ୍ଲ୍ୟୁ ତଦନ୍ତ ପ୍ରକ୍ରିୟାକୁ ‌େ‌ଜାରଦାର କରିଛି।

Leave a Reply

Your email address will not be published. Required fields are marked *