ଭୁବନେଶ୍ୱର, ୧୯/୧୦: ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି ।ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବ୍ୟତୀତ ରାଜ୍ୟର ୨୮ଟି ଜିଲ୍ଲାରେ ୪୭୧ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବାବଦରେ ୪୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ହିତାଧିକାରୀ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହ ଯୋଜନାର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା କରିଥିଲେ । ହିତାଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ମୁଣ୍ଡ ଉପରକୁ ଛାତ ଖଣ୍ଡିଏ ମିଳି ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ହିତାଧିକାରୀ ମାନେ କହିଥିଲେ ଯେ ଏକ ସମ୍ମାନଜନକ ଜୀବନ ଯାପନ କରିବା ପାଇଁ ଏକ ସୁନ୍ଦର ଘର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବାରୁ ସେମାନେ ନିଜର ଖୁସି ବ୍ୟକ୍ତ କରିଥିଲେ ।ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରୟଣ ନାୟକ କହିଥିଲେ ଯେ ଗ୍ରାମପଞ୍ଚାୟତ ଭବନ ହେଉଛି ଗ୍ରାମୀଣ ଶାସନର ମୂଳ କେନ୍ଦ୍ର। ଏଠାରୁ ଲୋକଙ୍କ ସମସ୍ୟାର ସମାଧାନ ହୁଏ, ତୃଣମୂଳ ସ୍ତରରେ ବିକାଶର ନକ୍ସା ତିଆରି ହୁଏ ଓ ଗାଁର ପ୍ରତ୍ୟେକ ଲୋକଙ୍କ ଜୀବନ ସୁଧାରିବାର ପ୍ରୟାସ ଆରମ୍ଭ ହୁଏ। ତେଣୁ, ପ୍ରତ୍ୟେକ ଗ୍ରାମପଞ୍ଚାୟତ ପାଇଁ ଲୋକଙ୍କ ଆଶା- ଆକାଂକ୍ଷାକୁ ପୂରଣ କରିପାରୁଥିବା ତଥା ସମସ୍ତ ସେବା ଯୋଗାଇ ପାରୁଥିବା ଭଳି ଆଧୁନିକ ଭବନ ଦରକାର।ଏହି ଭବନଗୁଡ଼ିକ ଲୋକସେବା, ଗାଁର ଉନ୍ନତି ଓ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏକ ନୂଆ ମାଇଲ ଷ୍ଟୋନ ହେବ । ଏହି ଅଭିଯାନ କେବଳ ଭବନ ନିର୍ମାଣର ଏକ ପ୍ରକଳ୍ପ ନୁହେଁ, ବରଂ ଏହା ରାଜ୍ୟର ଗ୍ରାମାଞ୍ଚଳରେ ସୁଶାସନ, ସେବା ଓ ଉନ୍ନତିର ଏକ ନୂଆ ସୋପାନ ଆଣିବାର ପ୍ରଚେଷ୍ଟା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ନିର୍ଦ୍ଦେଶକ ଶ୍ରୀ ଭିନିତ ଭରଦ୍ୱାଜ ଏବଂ ଆଭାସି ମାଧ୍ୟମରେ ୨୮ଟି ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ, ପଞ୍ଚାୟତିରାଜ ପ୍ରତିନିଧିଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଯୋଗଦେଇଥିଲେ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରିଶ ଏସ୍.ଏନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ସ୍ୱତନ୍ତ୍ର ପ୍ରକଳ୍ପ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।
