୬୬ ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ

କଟକ ଜିଲା ଖବର ରାଜ୍ୟ
Spread the love

କଟକ, ୨୧/୧୦: ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୬ ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ବୀର ଶହୀଦଙ୍କ ପରିବାରବର୍ଗ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରିଛନ୍ତି । ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ବୀର ଶହୀଦମାନଙ୍କ ପ୍ରତି ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି ଯେ କିଛି ବର୍ଷ ପୂର୍ବରୁ ପୁଲିସ ଶହୀଦମାନଙ୍କର ତାଲିକା ସଂଖ୍ୟା ବହୁତ ଲମ୍ବା ରହୁଥିଲା ଏବଂ ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଶହୀଦମାନଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ଘଟିଛି। ଦେଶର ସମସ୍ତ ସୁରକ୍ଷା ବାହିନୀ ତଥା ପୁଲିସ କର୍ମଚାରୀଙ୍କର ଅକ୍ଲାନ୍ତ ପରିଶ୍ରମ ଓ ସାହସ ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଜମ୍ମୁ-କାଶ୍ମୀର, ପଞ୍ଜାବ, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆମ ପୁଲିସ ଅଧିକାରୀ ଓ ଯବାନମାନେ ବୀରତ୍ୱର ସହିତ ଯୁଦ୍ଧ କରୁଛନ୍ତି। ଆମ ରାଜ୍ୟର ସାହସୀ ପୋଲିସ କର୍ମଚାରୀମାନଙ୍କର ବୀରତ୍ବ ଯୋଗୁଁ, ଆମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ସ୍ଥାପନ କରିପାରିଛୁ ଏବଂ ଆଗାମୀ ଦିନରେ ମଧ୍ୟ ଏହାର ପ୍ରୟାସ ଜାରି ରଖିବୁ ବୋଲି ଡିଜିପି କହିଛନ୍ତି । ଏହି ଅବସରରେ ସାଧାରଣ ଜନତାଙ୍କୁ ନିରନ୍ତର ସେବା ପ୍ରଦାନ କରୁଥିବା ରାଜ୍ୟର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ ।

ଚଳିତ ବର୍ଷ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୁଲିସ ବଳ ଓ ରାଜ୍ୟ ପୁଲିସର ୧୯୧ ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ଵିତ କରିଛନ୍ତି। ଏହି ଅବସରରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ଶହୀଦ ହୋଇଥିବା ରାୟଗଡା ଜିଲ୍ଲାର କନେଷ୍ଟବଳ ଲକ୍ଷ୍ମଣ ମାଝୀ, କଟକର ଓଏପିଏଫ୍‌ ଲୋକନାଥ ଶବରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଡିଜିପି ଶ୍ରୀ ଖୁରାନିଆ ଶୋକସନ୍ତପ୍ତ ଉଭୟଙ୍କ ପରିବାର ବର୍ଗଙ୍କ ସହିତ ଭାବ ବିନିମୟ କରିବା ସହ ସମବେଦନା ଜ୍ଞାପନ କରିଥିଲେ । ଉଭୟଙ୍କ ତ୍ୟାଗ ଏବଂ ବଳିଦାନ ରାଜ୍ୟ ପୁଲିସ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ଡିଜିପି କହିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ କ୍ରାଇମବ୍ରାଞ୍ଚ ଡିଜିପି ଶ୍ରୀ ବିନୟ ତୋଷ ମିଶ୍ର, ନିର୍ଦ୍ଦେଶକ ଗୁଇନ୍ଦା ଶ୍ରୀ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଶ୍ରୀ ଏସ. କେ. ପ୍ରିୟଦର୍ଶୀଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *