‘ନୋ କିଙ୍ଗ୍‌’: ଆମେରିକା ପାଇଁ ଚିନ୍ତାର ସମୟ

ଦେଶବିଦେଶ
Spread the love

ଆମେରିକା, ୨୩/୧୦: ଆମେରିକାରେ ପୁଣି ‘ନୋ କିଙ୍ଗ୍‌’ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏହା ଦ୍ବିତୀୟ ଥରର ପ୍ରତିବାଦ। ଟ୍ରମ୍ପ ତାଙ୍କ ଶାସନର ଦ୍ବିତୀୟ ପାଳି କାର୍ଯ୍ୟଭାର ଗ୍ରହଣ କରିବା ପରେପରେ ଯେପରି ଏକଛତ୍ରବାଦୀ କାର୍ଯ୍ୟକଳାପ ଆରମ୍ଭ କରିଦେଇଥିଲେ ତା’ବିରୋଧରେ ଆମେରିକା ଜନତା ସାମୂହିକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ‘ନୋ କିଙ୍ଗ’ ବା ଲୋଡ଼ା ନାହିଁ ରାଜା ବୋଲି ଆହ୍ବାନ ଦେଇ ଟ୍ରମ୍ପଙ୍କ କଠୋର ନୀତିର ପ୍ରତିବାଦ କରିଥିଲେ। ସମ୍ପ୍ରତି ଆମେରିକାରେ ଅଚଳାବସ୍ଥା ଜାରି ରହିଛି। ଶାସନକଳ ଠିକ୍ ଭାବରେ କାମ କରିପାରୁନାହିଁ। ବଜେଟ୍‌ ବ୍ୟୟବରାଦକୁ ଟ୍ରମ୍ପ ପ୍ରଶାସନ କମ୍‌ କରିବା କାରଣରୁ ବିରୋଧୀ ଡେମୋକ୍ରାଟ ଦଳ ଏହାର ବିରୋଧ କରିଥିଲା ଯାହାଫଳରେ ଫାଇନାନନ୍ସ ବିଲ୍‌ ଆମେରିକା କଂଗ୍ରେସ୍‌ରେ ଗୃହୀତ ହୋଇପାରି ନଥିଲା। ଏହି କାରଣରୁ ପ୍ରାୟ ୧.୪ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯାଇଛି। ଆମେରିକା​‌ରେ ଏପରି ଅଚଳାବସ୍ଥା ବା ସଟ୍‌ ଡାଉନ ନୂଆ କଥା ନୁହେଁ।ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଥମ ପାଳି ଶାସନ ସମୟରେ ମଧ୍ୟ ସଟ୍‌ ଡାଉନ୍‌ ହୋଇଥିଲା। ଏବେ ପୁଣି ଅଚଳା ବସ୍ଥା ସମୟରେ ନୋ କିଙ୍ଗ୍‌ ଆନ୍ଦୋଳନ ଟ୍ରମ୍ପ ସରକାର ପାଇଁ ସମସ୍ୟା ସୃଷ୍ଟି କରିଥିବାବେଳେ ରାଷ୍ଟ୍ରପତି ଟ୍ରମ୍ପ କିନ୍ତୁ ଆପଣାକୁ ସଠିକ୍‌ ଓ ତାଙ୍କ ନୀତିକୁ ଆମେରିକା ପାଇଁ ଜରୁରୀ ବୋଲି କହିଆସୁଛନ୍ତି ତଥା ସାଧାରଣ ଜନତାଙ୍କ ପାଇଁ ସ୍ବାସ୍ଥ୍ୟଗତ ସହାୟତାକୁ କମ୍‌ କରିବା ସହିତ ଅନ୍ୟ ବ୍ୟୟବରାଦକୁ କମ୍‌କରି ଆମେରିକାର ଅର୍ଥବ୍ୟବସ୍ଥା ମଜ୍‌ଭୁତ୍‌ କରିବା ଏବଂ ତାଙ୍କର ଲକ୍ଷ୍ୟ ଆମେରିକାକୁ ପୁଣି ବିଶ୍ବରେ ଶ୍ରେଷ୍ଠ କରାଇବାରେ ସଫଳ ହେବେବୋଲି ଦାବି କରନ୍ତି। ନିଜକୁ ରାଜା ନୁହନ୍ତି ବୋଲି କହୁଥିବା ଟ୍ରମ୍ପ ତାଙ୍କର କାର୍ଯ୍ୟ ଓ ଆଚରଣ, ଆମେରିକା ଜନତାଙ୍କ ପ୍ରତି କଠୋର ମନୋଭାବ, ସ୍ବେଚ୍ଛାଚାରୀଙ୍କ ପରି ଆଚରଣ କାରଣରୁ କେବଳ ଆମେରିକାରେ ନୁହେଁ ବିଶ୍ବରେ ମଧ୍ୟ ସମାଲୋଚିତ ହେଉଛନ୍ତି।

ପ୍ରଥମେ ଚୀନ ସହିତ ବାଣିଜ୍ୟ ଯୁଦ୍ଧରେ ପ୍ରବେଶ କରିବା ଓ ସମାନ ପ୍ରକାରର ସ୍ଥିତି ଭାରତ ସହିତ ବିଶ୍ବର ଅନେକ ଦେଶ ଉପରେ ଟ୍ରମ୍ପ ପ୍ରଶାସନ ବାଣିଜ୍ୟ ଟିକସ ବୃଦ୍ଧି କରି ଲାଭାନ୍ବିତ ହେବାକୁ ଆଶା କରିଥିବାବେଳେ ଟ୍ରମ୍ପଙ୍କ ଏହି ନୀତି ଆମେରିକା ଅର୍ଥନୀତି ପାଇଁ ବଡ଼ଧରଣର ସମସ୍ୟା ସୃଷ୍ଟି କରିପାରେ ଓ ୨୦୦୮ ମସିହାର ଆର୍ଥିକ ମାନ୍ଦାବସ୍ଥା ପୁଣି ଦେଖାଦେଇ ପାରେ ବୋଲି ଅନେକ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅଶାନ୍ତି, ବିରୋଧ, ପ୍ରତିବାଦ ଏବଂ ଆପଣା ଦେଶରେ ନିନ୍ଦା ଅପବାଦ ପାଉଥିବାବେଳେ ଟ୍ରମ୍ପ ବିଶ୍ବର କୋଟିକୋଟି ଲୋକଙ୍କ ପାଇଁ ସୁଖ-ଶାନ୍ତି, ସମୃଦ୍ଧି-ସୌଭାଗ୍ୟ ଫେରାଇ ଆଣିବାକୁ ଉଦ୍ୟମ କରୁଥିବା ଡିଣ୍ଡିମ ପିଟୁଛନ୍ତି। ଆପଣାଙ୍କୁ ଅସ୍ତ୍ରବିରତିର ବିଶେଷଜ୍ଞ ଭାବେ ପ୍ରଚାରିତ କରୁଥିବା ଟ୍ରମ୍ପ ଆପଣା ଦେଶରେ ଯେଉଁ ବିରୋଧ ଓ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି ତାହା ତାଙ୍କ ପାଇଁ ଆଗାମୀ ଦିନରେ ବଡ଼ ବିପତ୍ତି ସୃଷ୍ଟି କରିପାରେ, ଏହାକୁ ସେ ଚିନ୍ତା କରିପାରି ନାହାନ୍ତି। ସର୍ବଦା ଆପଣାକୁ ଠିକ୍‌ ଦର୍ଶାଇ ଅନ୍ୟର ମତକୁ ଗୁରୁତ୍ବ ନଦେବା, ଉପେକ୍ଷା କରିବା ​‌େ‌ସ୍ବଚ୍ଛାଚାରିତାର ଲକ୍ଷଣ। ଏପରିି ଫାଶିବାଦୀ ଚିନ୍ତାଧାରା ଆମେରିକାକୁ କ୍ଷତି ପହଞ୍ଚାଇବା ସଙ୍ଗେସଙ୍ଗେ ଆମେରିକା ସହିତ ବାଣିଜ୍ୟିକ ସମ୍ପର୍କରେ ଥିବା ଦେଶମାନଙ୍କର ମଧ୍ୟ ପ୍ରଭୁତ କ୍ଷତି ହେବାର ସମ୍ଭାବନା ରହିଛି।ଯେତେବେଳେ ସମୃଦ୍ଧ ଓ ବିକଶିତ ଦେଶ ଆମେରିକା ସଂକଟରେ ସେତେବେଳେ ବିଶ୍ବର ଅବସ୍ଥା କ’ଣ ହେବ ତାହା ଚିନ୍ତା କରିବାକୁ ହେବ। ଏକଦା ୟୁରୋପ ଓ ଅନ୍ୟ ଦେଶମାନଙ୍କରେ ଏକଛତ୍ରବାଦୀ ତଥା ଫାଶିବାଦୀ ଚିନ୍ତା ଧାରାର ଅଭ୍ୟୁଦୟ ଘଟିଥିଲା ଓ ଆମେରିକା ମଧ୍ୟ ଏହା ବିରୋଧରେ ଯାଇ ସେହିସେହି ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଉଦ୍ୟମ କରିଥିଲା। ଆଜି ଯେତେବେଳେ ଖୋଦ୍‌ ଆମେରିକାରେ ଫାଶିବାଦ ବିରୋଧରେ ଲଢ଼େଇ ଆରମ୍ଭ ହୋଇଯାଇଛି ସେତେବେଳେ ବିଶ୍ବବାସୀ ଓ ବିଶ୍ବର ନେତୃବୃନ୍ଦ ବେଳ ଥାଉଥାଉ ସାବଧାନ ହୋଇଯିବା ଆବଶ୍ୟକ। ସମ୍ଭାବ୍ୟ ବିପଦକୁ ମୁକାବିଲା କରିବାକୁ ହେଲେ ଆମେରିକାର ସରଣାପନ୍ନ ବା ଗୋଡ଼ାଣିଆ ନ ହୋଇ ଆପାଣାକୁ ଆତ୍ମନିର୍ଭର କରିବାକୁ ହେବ।

Leave a Reply

Your email address will not be published. Required fields are marked *