ବ୍ରହ୍ମପୁର, ୧/୧୧: ବ୍ରହ୍ମପୁର ଏସ୍ପି ଡାକ୍ତର ସରଭଣା ବିବେକ ଏମ୍ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଏସ୍ପି ଗଣମାଧ୍ୟମରେ ଦେଇଥିବା ବୟାନରେ ହାଇକୋର୍ଟରେ ବିଚାରାଧୀନ ବ୍ରହ୍ମପୁର ବିଧାନସଭା ଆସନ ସଂପର୍କିତ ନିର୍ବାଚନୀ ମକଦ୍ଦମାକୁ ଯୋଡ଼ି ଦେଇଥିବା ଟିପ୍ପଣୀ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ଗ୍ରହଣ କରି କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ଏସ୍ପି ଏଭଳି ମନ୍ତବ୍ୟ ଦେଇଥିଲେ, ଏପରି ଆଚରଣକୁ କାହିଁକି ଅଦାଲତ ଅବମାନନା ଭାବେ ଗ୍ରହଣ କରା ନଯିବ, ସେ ସଂପର୍କରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୭ ସୁଦ୍ଧା ହାଇକୋର୍ଟରେ ନିଜ ଉତ୍ତର ରଖିବେ ଏସ୍ପି। ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ରହ୍ମପୁର ଆସନ ସଂପର୍କିତ ନିର୍ବାଚନୀ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
