ପଞ୍ଚାୟତ ନିର୍ବାଚନ ପାଇଁ ‘ମିସନ୍‌ ପାୱାର’: ୧୦ରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର,୭/୧୧: ରାଜ୍ୟ ସରକାରଙ୍କ ଫୋକସରେ ଗାଁ। ଗାଁକୁ ସବୁଦିନିଆ ରାସ୍ତା ସହ ପାନୀୟ ଜଳ ଓ ବିଜୁଳି ଯୋଗାଇବା ପାଇଁ ଆରମ୍ଭ ହେବାକୁ ଯାଉଛି ‘ମିସନ୍‌ ପାୱାର’। ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଏହାର ସଂକଳ୍ପ ଚିଠା (ନୋଟ୍‌ ସିଟ୍‌) ପ୍ରସ୍ତୁତ କରାଯାଇଛି। ଧାର୍ଯ୍ୟ ସମୟ ସୀମା ଭିତରେ ଖସଡ଼ା ପ୍ରସ୍ତୁତ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୦ତାରିଖରେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ ଏକ ‌ବଡ଼ ବୈଠକ ଅନୁଷ୍ଠିତ ହେବ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ନୂଆ ଯୋଜନା ଜରିଆରେ ରାଜ୍ୟ ସରକାର ଏବେଠାରୁ ଗୋଟି ଚାଳନା ଆରମ୍ଭ କରିଛନ୍ତି।

ଆଜି ମଧ୍ୟ ରାଜ୍ୟର ଗାଁରେ ରହୁଥିବା ଅନେକ ଲୋକ ବିଭିନ୍ନ କାରଣ ପାଇଁ ରାସ୍ତା, ପାନୀୟଜଳ ଓ ବିଜୁଳି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ରାସ୍ତା ସଂଯୋଗ ନ ଥିବାରୁ ଅନେକ ସମୟରେ ଗାଁକୁ ଆମ୍ବୁଲାନ୍‌ସ ପହଞ୍ଚିପାରୁନାହିଁ। ଅନେକ ଗାଁ ଓ ଲକ୍ଷଲକ୍ଷ ପରିବାର ବିଜୁଳି ସଂଯୋଗରୁ ବଞ୍ଚିତ ଅଛନ୍ତି। ସେହିପରି ବହୁତ ଗାଁରେ ଏବେ ବି ପାନୀୟ ଜଳ ସୁବିଧା ଉପଲବ୍ଧ ହୋଇ ପାରିନାହିଁ। ପୂର୍ବ ସରକାର ସମୟରେ ୨୦୨୨ ସୁଦ୍ଧା ସବୁ ଘରକୁ ପାଇପ୍‌ ପାଣି ପହଞ୍ଚାଇବା ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ପ୍ରତିଶ୍ରୁତି ବିଫଳ ହୋଇଛି

ବର୍ତ୍ତମାନ ଯେଉଁ ଗତିରେ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଛି, ତାହା ୨୦୨୬ ମସିହା ଅବଧିରେ ମଧ୍ୟ ପୂରଣ ହୋଇପାରିବ ନାହିଁ। ତେଣୁ ଗାଁରେ ରହୁଥିବା ଲୋକଙ୍କୁ ଏହି ୩ ପ୍ରକାରର ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ‘ମିସନ୍‌ ପାୱାର’ ବା (ପାୱାର, ୱାଟର ଓ ରୋଡ୍‌ସ) ଗଠନ କରାଯିବ। ସ୍ପିଡ୍‌, ସ୍କେଲ୍ ଓ ଷ୍ଟାଣ୍ଡାର୍ଡ ନୀତିକୁ ନେଇ ମିସନ୍‌ ମୋଡ୍‌ରେ ଏହା କାର୍ଯ୍ୟ କରିବ। ୨୦୨୭ ସୁଦ୍ଧା ସବୁ ଗାଁକୁ ବିଜୁଳି, ପାନୀୟ ଜଳ ଓ ବିଦ୍ୟୁତ୍‌ ସଂଯୋଗ ପାଇଁ ଖସଡ଼ା ପ୍ରସ୍ତୁତ ହେବ। ଏହି କାର୍ଯ୍ୟ ବାସ୍ତବରେ ଯେପରି ପ୍ରତିଫଳିତ ହେବ ସେଥିପାଇଁ ଡିସେମ୍ବର ଶେଷ ସୁଦ୍ଧା ଏକ ସମୟସୀମା ଧାର୍ଯ୍ୟ କରାଯିବ। ଯେହେତୁ ଏହି ଯୋଜନା ମିସନ୍‌ ମୋଡ୍‌ରେ କାର୍ଯ୍ୟ କରିବ, ତେଣୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ ହେବ। ମିସନ୍‌ର ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ରହିବ ଓ ବିଭିନ୍ନ ବିଭାଗର କର୍ମଚାରୀ ଏଥିରେ କାର୍ଯ୍ୟ କରିବେ। ଆବଶ୍ୟକ ପଡ଼ିଲେ ବିଶେଷଜ୍ଞ, ପରାମର୍ଶଦାତାଙ୍କୁ ମଧ୍ୟ ଏଥିରେ ନିଯୁକ୍ତି ଦିଆଯିବ।

ଯୋଜନା ଆରମ୍ଭରୁ ଜିଲ୍ଲାପାଳମାନେ ରାସ୍ତା ନ ଥିବା ଗାଁର ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ। ଏଥିରେ ଆମ୍ବୁଲାନ୍‌ସ ପଏଣ୍ଟରୁ ସଂପୃକ୍ତ ଗାଁକୁ ପହଞ୍ଚିବା ଲାଗି କେତେ ଲମ୍ବା ରାସ୍ତାର ଆବଶ୍ୟକତା ରହିଛି ତାହା ଉଲ୍ଲେଖ କରିବେ। ପଞ୍ଚାୟତୱାରି ଏହାର ମ୍ୟାପିଂ କରାଯିବ। ଯାହାଫଳରେ ରାସ୍ତାର ବାସ୍ତବ ସ୍ଥିତି, କେତେ ବଜେଟ୍‌ ଆବଶ୍ୟକ, ଉପଲବ୍ଧ ମାନବ ସମ୍ବଳ ଓ କାର୍ଯ୍ୟ ଶେଷ ହେବା ପାଇଁ କେତେ ସମୟ ଲାଗିବ ତାହାର ପ୍ରକୃତ ଚିତ୍ର ମିଳିପାରିବ। ସମାନ ଢଙ୍ଗରେ ବିଜୁଳି ଓ ପାନୀୟ ଜଳ ପାଇଁ ବ୍ୟୟ ଅଟକଳ ପ୍ରସ୍ତୁତ ହେବ। ନଭେମ୍ବର ଶେଷସୁଦ୍ଧା ଏହି ୩ଟି ମୌଳିକ ସୁବିଧା ସଂପର୍କରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ଜିଲ୍ଲାପାଳମାନେ ରିପୋର୍ଟ ପ୍ରଦାନ କରିବା ପରେ ସବୁ ଜିଲ୍ଲାପାଳ, ପାନୀୟଜଳ, ରାସ୍ତା ଓ ବିଜୁଳି ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ନେଇ ଏକ ଯୁଗ୍ମ ବୈଠକ ବସିବ। ଆବଶ୍ୟକ ପଡ଼ିଲେ ଆସନ୍ତା ଦୁଇ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ମଧ୍ୟ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *