Doctor 2

ବଢ଼ିବ ଆଉ ୫୦୦ ପିଜି ଡାକ୍ତରୀ ସିଟ୍‌

ରାଜ୍ୟ
Spread the love

ଭୁବନେଶ୍ବର : ରାଜ୍ୟରେ ଆସନ୍ତା ଦୁଇ ବର୍ଷ ଭିତରେ ଡାକ୍ତରୀ ପାଠ୍ୟକ୍ରମରେ ଆଉ ୫୦୦ ନୂଆ ପିଜି ଆସନ ବୃଦ୍ଧି କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯାଇଥିବା ବେଳେ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।
ଏଲୋପାଥି ପାଠ୍ୟକ୍ରମକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ରାଜ୍ୟରେ ଏବେ ୧୬ଟି ଭେଷଜ ମହାବିଦ୍ୟାଳୟରେ ଉଭୟ ଏମ୍‌ବିବିଏସ୍‌ ଏବଂ ପିଜି ପାଠ୍ୟକ୍ରମ ରହିଛି। ପୂର୍ବରୁ ମୋଟ ୧୬୦୦ ଏମ୍‌ବିବିଏସ୍‌ ଆସନ ଥିଲା। ପୂର୍ବରୁ ୨୦୦ ଆସନ ବୃଦ୍ଧି ସହିତ ଚଳିତ ବର୍ଷ ଆଉ ୫୦ ଆସନ ବୃଦ୍ଧି କରାଯାଇଛି। ସେହିପରି, ପିଜି ଆସନ ବୃଦ୍ଧି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସବୁଜ ସଙ୍କେତ ‌ଦେଇଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଆକଉଣ୍ଟ‌ରେ ଡ. ମହାଲିଙ୍ଗ କହିଛନ୍ତି ଯେ ପୂର୍ବରୁ ୬୦୦ ପିଜି ଆସନ ରହିଥିବା ବେଳେ ଆସନ୍ତା ୨ ବର୍ଷ ମଧ୍ୟରେ ଆଉ ନୂଆ ୫୦୦ ଆସନ ବୃଦ୍ଧି କରିବା ନେଇ ଯୋଜନା ରହିଛି। ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇଥିବା ବେଳେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ବିଗତ ୪୦ ବର୍ଷ ଭିତ‌େ‌ର ସୁପରସ୍ପେଶିଆଲିଟି ବିଭାଗରେ ଆଖିଦୃଶିଆ କାର୍ଯ୍ୟକ୍ରମ ହେଉନଥିଲା। ଏବେ ୧୦ ଭେଷଜ ମହାବିଦ୍ୟାଳୟରେ ସୁପରସ୍ପେଶିଆଲିଷ୍ଟ ପାଠ୍ୟକ୍ରମ କରିବା ନେଇ ଚଳିତବର୍ଷ ନୋଟିଫିକେସନ୍‌ ହୋଇଛି। ଏଥିରେ ହୃଦ୍‌ବିଭାଗ, ନ୍ୟୁରୋସର୍ଜରୀ, ନ୍ୟୁରୋଲୋଜି, ପ୍ଲାଷ୍ଟିକ ସର୍ଜରୀ ଆଦି ରହିଛି। କେବଳ ଏତିକି ନୁହେଁ, ସିଟିଭିଏସ୍‌ ବିଭାଗ ନଥିବା ବେଳେ ଏନେଇ ନୋଟିଫିକେସନ ହୋଇଛି ଏବଂ ଆଗାମୀ ଦିନରେ କାର୍ଯ୍ୟକାରୀ ହେବ। ଏହାସହ ହେଲ୍‌ଥ ଏଲାଏଡ୍‌ ସର୍ଭିସେସ୍‌ ଆକ୍ଟକୁ ୨୦୨୬କୁ ପ୍ରଚଳନ କରାଯାଇଛି। ଏଥିରେ ୧୦ଟି ବର୍ଗରେ ୫୬ଟି କେନ୍ଦ୍ର କରାଯିବ, ଯେଉଁଠି ପାଠପଢ଼ା ହେବା ସହ କାଉନସେଲିଂ ଏବଂ ପଞ୍ଜୀକରଣ କରାଯିବ ବୋଲି ଡ. ମହାଲିଙ୍ଗ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *