କଟକ : କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ ମୌଜା ସ୍ଥିତ କଳପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ମନ୍ଦିର ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଦେବୀ ପ୍ରସାଦ ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଗିରିଜା ଶଙ୍କର ପତି ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ୪୨ ମୌଜାର ବିଶିଷ୍ଟ ସାମାଜିକ ଅନୁଷ୍ଠାନ ‘ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ’ର ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଉପସ୍ଥିତ ରହି ପୂର୍ବତନ ଶିକ୍ଷୟିତ୍ରୀ ଶ୍ରାବଣୀ ପ୍ରିୟଦର୍ଶିନୀ ପତିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ଓ ସ୍ମାରକୀ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ମିର୍ଜା ସରାଫତ ହୋସେନ ବେଗ, ଶ୍ରୀକାନ୍ତ ବେଉରା, କଟକ ଅର୍ବାନ ବ୍ୟାଙ୍କର ଅଧିକାରୀ ବିରଜା ନନ୍ଦନ ପତି ଏବଂ ସାମ୍ବାଦିକ ଚନ୍ଦନ ମହାନ୍ତିଙ୍କ ସମେତ ଶତାଧିକ ଗ୍ରାମବାସୀ ତଥା କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଶେଷରେ ‘ଓଡ଼ିଶା ରାଷ୍ଟ୍ରବାଦୀ ସଂଘ’ ସମେତ ପ୍ରାୟ ୫ଟି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଶ୍ରାବଣୀ ପ୍ରିୟଦର୍ଶିନୀଙ୍କୁ ଉକ୍ତ ମଞ୍ଚରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
