କବିସୂର୍ଯ୍ୟନଗର, ୯/୧୧: ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗ୍ରାମ ନିକଟରେ ପ୍ରାତଃ ଭ୍ରମଣ କରୁଥିବା ଜଣେ ବୃଦ୍ଧଙ୍କୁ ଏକ ବାଇକ ଧକ୍କା ଦେଇଥିବା ବେଳେ ବୃଦ୍ଧଙ୍କ ସହ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ବୃଦ୍ଧଜଣଙ୍କ ମଠସରସିଂ ଶାଳବଣ ଗ୍ରାମର କାଶୀନାଥ ସେଠୀ ଓ ବାଇକ ଚାଳକ ଜଣଙ୍କ ରାଣିପଡ଼ା ଗ୍ରାମର ମିଟୁ ପରିଡ଼ା ବୋଲି ଜଣା ପଡିଛି
ମିଳିଥିବା ସୂଚନା ଅନୁଯାୟୀ ମିଟୁ ଭୋର ସମୟରେ ବାଇକ ଯୋଗେ ନିଜ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ଖଜାପଲ୍ଲୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ କାଶୀନାଥଙ୍କ ସହ ବାଇକ ଧକ୍କା ହୋଇଥିଲା । ଯାହା ଫଳରେ ମିଟୁ ଓ କାଶୀନାଥ ତଳେ ପଡ଼ି ଗୁରୁତର ହୋଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ବାଇକ ଚାଳକ ମିଟୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ପୋଲସରା ମେଡ଼ିକାଲକୁ ପଠାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି କାଶୀନାଥଙ୍କୁ ଉଦ୍ଧାର କରାଯାଇ କୋଦଳା ମେଡିକାଲକୁ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ମୃତ୍ୟୁ ଖବର ଶୁଣି ପୋଲସରା ଓ କୋଦଳା ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
