ଭୁବନେଶ୍ବର, ୧୪/୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆଜି ଏକ ଐତିହାସିକ ଦିନ। ଏକ ଐତିହାସିକ ମୁହୂର୍ତ୍ତ। ବିହାର ବିଧାନସଭା ନିର୍ବାଚନ ଏବଂ ନୂଆପଡ଼ା ଉପନିର୍ବାଚନରେ ଇତିହାସ ସୃଷ୍ଟି ହୋଇଛି। ନୂଆପଡ଼ା ଉପନିର୍ବାଚନରେ ଅଂଶଗ୍ରହଣ କରି ଯେଉଁମାନେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବିପୁଳ ସମର୍ଥନ ଜଣାଇଛନ୍ତି, ସେହିମାନଙ୍କୁ ଧନ୍ୟବାଦ ଜଣାଉଛି। ଏହି ନିର୍ବାଚନ ଓଡ଼ିଶା ରାଜନୀତି ପାଇଁ ଐତିହାସିକ। ଏହା ଆଗାମୀ ଦିନରେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ପାଇଁ ସହଯୋଗ କରିବ।
ଆଜିର ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନେତୃତ୍ବର ଫଳ। ଲୋକଙ୍କର ସରକାରରେ ବିଗତ ୧୬ ମାସ ଧରି ଜନସାଧାରଣ ଉପକୃତ ହୋଇଛନ୍ତି। ଲୋକଙ୍କର ପାଇଁ ସରକାର ଜନକଲ୍ୟାଣ ଯୋଜନା ଓ ସ୍ବଚ୍ଛ ଶାସନ ବ୍ୟବସ୍ଥା କରିଛନ୍ତି। ଓଡ଼ିଶାର ବିକାଶକୁ ତ୍ବରାନ୍ବିତ ପାଇଁ ଡବଲ ଇଂଜିନ ସରକାର ଆଗକୁ ନେଇଛି ବୋଲି ଏହି ନିର୍ବାଚନ ପ୍ରମାଣିତ କରୁଛି।
ଆମେ ଜନସାଧାରଣ କହିଥିଲୁ ଯେ, ନୂଆପଡ଼ା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ। ନୂଆପଡ଼ାବାସୀ ଆମକୁ ସମର୍ଥନ ଜଣାଇଛନ୍ତି। ବିଜେପି ନେତୃତ୍ବରେ ବିକାଶର କଥା ଆଗକୁ ନେଉଛୁ। ଉତ୍କର୍ଷ ଓଡ଼ିଶା କନ୍କ୍ଲେଭରେ ୨୨ ଲକ୍ଷ କୋଟି ଟଙ୍କାର ନିବେଶ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ହୋଇଛି। ସରକାର ଭଲ କାମ କରୁଛନ୍ତି ବୋଲି ନୂଆପଡ଼ାବାସୀ ଅନୁଭବ କରିପାରୁଛନ୍ତି।
ନୂଆପଡ଼ାର ବିକାଶ ହେବ:
ମୁଁ ଗତବର୍ଷ ନୂଆପଡ଼ା ଯାଇଥିଲି। ସେହି ସମୟରେ ନିର୍ବାଚନ ନଥିଲା। କୌଣସି କାର୍ଯ୍ୟକ୍ରମ ନଥିଲା। ଗତବର୍ଷ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲି। ଚଳିତ ବର୍ଷ ନିର୍ବାଚନ ପ୍ରଚାର ସମୟରେ ମୁଁ ଯାଇଥିଲି। ଗତ ୬ ତାରିଖରେ ଯେତେବେଳେ ମୁଁ କୋମନାରେ ରୋଡ୍ ସୋ’ କରିଥିଲି, ହଜାର ହଜାର ଲୋକ ଉତ୍ସାହର ସହିତ ଉପସ୍ଥିତ ଥିଲେ। ନୂଆପଡ଼ାର ବିକାଶ ହେବ। ଆମ ଦଳର ରାଜନୈତିକ ଉଦ୍ୟେଶ ନୁହେଁ, ଆମେ ସେବା ମନୋଭାବ ନେଇ ଆଗକୁ ବଢୁଛି। ଏହି କାରଣରୁ ନୂଆପଡ଼ାବାସୀ ସମର୍ଥନ ଦେଇଛନ୍ତି। ବିହାରରେ ବିଜେପିର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିନନ୍ଦନ ଜଣାଉଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ବିଜୟ ଉତ୍ସବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପଦାଧିକାରୀ, କାର୍ଯ୍ୟକର୍ତ୍ତା ପ୍ରମୁଖ ସାମିଲ ଥିଲେ।
