ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ଛଡ଼ାଇ ନେଲେ

କେନ୍ଦ୍ରାପଡ଼ା ଜିଲା ଖବର ରାଜ୍ୟ
Spread the love

ହାଟଡିହି, ୧୪/୧୧: ଶାଳଣିଆଁ ନିକଟରେ ପୁଲିସକୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ସମ୍ପର୍କୀୟ। ଏକ ଠକେଇ ମାମଲାରେ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଶାଳଣିଆଁର ଯୋଗେନ୍ଦ୍ର ବେହେରାଙ୍କୁ ଉଠାଇ ନେଉଥିବା ବେଳେ ଘଟିଛି ଏହି ଘଟଣା। ୧୦ ରୁ ୧୨ ଜଣ ଯୁବକ ସଂଘବଦ୍ଧ ଭାବେ ପୁଲିସକୁ ଆକ୍ରମଣ କରି ଆସାମୀଙ୍କୁ ଛଡ଼ାଇ ନେଲେ। ୨ ଜଣ ପୁଲିସ ଆହତ ହୋଇଥିବା ସୂଚନା। ନନ୍ଦିପଦା ପୁଲିସ ପକ୍ଷରୁ ଗତକାଲି ରାତି ଠାରୁ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ବସପୁର ଲୁଣା ନଦୀବାଲି ଘାଟ, ଡେରାବିଶକୁ ଲିଜ ଧାରୀ ଯୋଗେନ୍ଦ୍ର ବେହେରା ଲିଜ ନେଇଥିବା ବେଳେ ବାଲିଘାଟ ଚଳାଇବା ପାଇଁ ନିକିରାଇ ଥାନା ଇଟିପୁର ଗ୍ରାମର ମାଧବ ଚନ୍ଦ୍ର ପ୍ରଧାନଙ୍କ ନାମରେ ଚୁକ୍ତି କରି ତାଙ୍କ ଠାରୁ ପ୍ରାଥମିକ ପର୍ଯ୍ୟାୟରେ ୨୫ଲକ୍ଷ ଟଙ୍କା ଆଣିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ଲୋକଙ୍କ ନାମରେ ଚୁକ୍ତିପତ୍ର କରିଦେଇଥିଲେ। ଯାହାକୁ ନେଇ ବିବାଦ ଦେଖାଦେବା ସହିତ ମାଧବ ଚନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ।

ଯୋଗେନ୍ଦ୍ର ଓ ଜଳସରପୁର ଗ୍ରାମର ବରଦା ପ୍ରସନ୍ନ ନାୟକ ତାଙ୍କ ଠାରୁ ମୋଟ ୪୫,୫୪,୯୫୯ ଟଙ୍କା ଠକିନେଇଥିବା ଅଭିଯୋଗ କରିବା ପରେ କେନ୍ଦ୍ରାପଡ଼ା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲା। ଗୁରୁବାର କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ନନ୍ଦିପଦା ପୁଲିସ ସହାୟତାରେ ଯୋଗେନ୍ଦ୍ରଙ୍କୁ ଉଠାଇ ଆଣିଥିଲା। ରାତି ୮ଟା ବେଳେ କେନ୍ଦ୍ରାପଡ଼ା ପୁଲିସ ଅଭିଯୁକ୍ତ ଯୋଗେନ୍ଦ୍ରକୁ ଧରି ଆଉ ଜଣେ ଅଭିଯୁକ୍ତଙ୍କୁ ଆଣିବାକୁ ଯାଉଥିବା ବେଳେ ଯୋଗେନ୍ଦ୍ରଙ୍କ ସମ୍ପର୍କୀୟ ଓ ସମର୍ଥକମାନେ ପୋଲିସକୁ ଆକ୍ରମଣ କରି ଯୋଗେନ୍ଦ୍ରଙ୍କୁ ଛଡ଼ାଇ ନେଇଛନ୍ତି।

Leave a Reply

Your email address will not be published. Required fields are marked *