ବାଲିଅନ୍ତା ବର୍ବରତାରେ କ୍ରାଇମବ୍ରାଞ୍ଚର ଗୁରୁତ୍ବପୂର୍ଣ୍ଣ ତଥ୍ୟ: ଆମ୍ବୁଲାନ୍ସ ଆସିନଥିଲା, ୨୫ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲା ପୁଲିସ

ରାଜ୍ୟ
Spread the love

କଟକ: ବାଲିଅନ୍ତା ବର୍ବରତା ଘଟଣାରେ ଫେରାର ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜ ଓରଫ ଦୀପୁକୁ କ୍ରାଇମବ୍ରାଞ୍ଚ ଟିମ୍ ଢେଙ୍କାନାଳ ବାଇପାସ୍ ନିକଟରୁ ଗିରଫ କରିଛି। ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଅଭିଯୁକ୍ତ ପ୍ରଦୀପ ଭିଡ଼ ଭିତରେ ଚପଲରେ ପିଟିବା ସହିତ ମୁହଁକୁ ଗୋଇଠା ମାରୁଥିବା ଭିଡିଓ ରେକର୍ଡ ହୋଇଛି। ଏହି ଭାଇରାଲ୍ ଭିଡିଓ କ୍ରାଇମବ୍ରାଞ୍ଚ ହାତରେ ପଡ଼ିବା ପରେ ତାକୁ ଗିରଫ କରିଛି। ତେବେ ପ୍ରଦୀପ ପ୍ରାୟ ୫ ଦିନ ହେବ ଦେବଗଡ଼ରେ ଜଣେ ବନ୍ଧୁଙ୍କ ଗୋଦାମରେ ଲୁଚି ରହିଥିଲା। ସେଠାରେ ସେ ଚୁଡ଼ା ଖାଇ ରହୁଥିଲା। ସେଠୁ ଢେଙ୍କାନାଳ ଚାଲିଆସିଥିବା ବେଳେ ଏକ ବସ୍‌ରେ କେଉଁଆଡ଼େ ଯିବାକୁ ଉଦ୍ୟମ କରୁଥିବା ବେଳେ କ୍ରାଇମବ୍ରାଞ୍ଚ ତାକୁ ମାଡ଼ି ବସିଥିଲା।
ସୂଚନା ଅନୁଯାୟୀ, ବାଲିଅନ୍ତା ବର୍ବରତା ଘଟଣାରେ ବାଲିଅନ୍ତା ଥାନା ପୁଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଦାୟିତ୍ବ ନେବା ପରେ ପ୍ରଦୀପକୁ ମିଶାଇ ଗିରଫ ସଂଖ୍ୟା ୭ରେ ପହଞ୍ଚି ସାରିଲାଣି। ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଘଟଣା ଦିନ ପୁଲିସ କର୍ତ୍ତବ୍ୟରେ ଅବହେଳା କରିଥିବା ସଙ୍ଗିନ ଦିଗକୁ ସାମନାକୁ ଆଣିଛି। ସୌମ୍ୟଙ୍କ ଗାଡ଼ି ଦୁର୍ଘଟଣା ଦିନ ପ୍ରାୟ ୧୦ଟା ୪୫ରୁ ୧୦ଟା ୫୦ ଭିତରେ ଘଟିଥିଲା। ୧୧ଟା ବେଳେ ସେଠାରେଭିଡ଼ ହିଂସା ସୃଷ୍ଟି ହୋଇଥିବା ବେଳେ ବାଲିଅନ୍ତା ପୁଲିସର ପିସିଆର ଭ୍ୟାନ୍ ୧୧ଟା ୧୦ରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଭ୍ୟାନରେ ଥିବା କର୍ମଚାରୀ ତୁରନ୍ତ ଥାନା ଆଇଆଇସିଙ୍କୁ ଓ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ। କିନ୍ତୁ ପୁଲିସ ଟିମ୍ ପ୍ରାୟ ୨୫ ମିନିଟ ବିଳମ୍ବରେ ପହଞ୍ଚିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଛି।
କ୍ରାଇମବ୍ରାଞ୍ଚ ଆଇଜି ଡାକ୍ତର ସାର୍ଥକ ଷଡ଼ଙ୍ଗୀ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ମୋଟ ୭ ଜଣଙ୍କୁ ବାନ୍ଧିଥିବା ବେଳେ ଆଉ ୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଭାଇରାଲ୍‌ ଭିଡିଓ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସୌମ୍ୟଙ୍କୁ ବାନ୍ଧିିକି ପିଟିବା ଘଟଣାରେ ପ୍ରଦୀପ ସଂପୃକ୍ତ ଥିଲା। ଅନ୍ୟପଟେ ଦୁଇ ପୀଡ଼ିତାଙ୍କ ବୟାନରେ ମିଛ ଥିବା ନେଇ କୌଣସି ସନ୍ଦେହ ସୃଷ୍ଟି ହୋଇନାହିଁ। କୋର୍ଟରେ ବି ସେମାନଙ୍କ ବୟାନ ରେକର୍ଡ ହୋଇଛି। ସ୍ଥାନୀୟ ଲୋକଙ୍କ ବୟାନ ଓ ପୀଡ଼ିତାଙ୍କ ବୟାନ ମେଳ ଖାଉଛି। ଘଟଣାସ୍ଥଳରେ ଥାନା ପୁଲିସ ପହଞ୍ଚିବାର ପ୍ରାୟ ୨୫ ମିନିଟ୍‌ ବିଳମ୍ବ ହୋଇଛି। ପୁଲିସ ପହଞ୍ଚିବା ପରେ ଆମ୍ବୁଲାନ୍ସକୁ ଡାକିଥିଲା। ଆମ୍ବୁଲାନ୍ସ କିନ୍ତୁ ପହଞ୍ଚିପାରିଲା ନାହିଁ। ପିସିଆର୍‌ରେ ସୌମ୍ୟଙ୍କୁ ନେବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ତାହା ବି ସମ୍ଭବପର ନ ହେବାରୁ ଅନ୍ୟ ଉପାୟରେ ସୌମ୍ୟଙ୍କୁ ଡାକ୍ତରଖାନା ନିଆଯାଇଥିବା ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *