ନୂଆଦିଲ୍ଲୀ, ୧୭/୧୧: ସାଉଦି ଆରବର ମଦିନା ନିକଟରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଉମରା କରିବାକୁ ଯାଉଥିବା ଅନେକ ଭାରତୀୟ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ଖାଇବା ଫଳରେ ବସଟି ଜଳିଯାଇଥିଲା, ଯାହା ଫଳରେ ପ୍ରାୟ ୪୨ଜଣ ଭାରତୀୟ ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି। ସୋମବାର ସକାଳେ ମୁଫାରିହାତ ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ମିଳିଛି ଯେ, ବସ୍ଟି ମକ୍କାରୁ ମଦିନା ଯାଉଥିବା ବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ମହିଳା ଏବଂ ଶିଶୁ ସମେତ ଅନ୍ୟୂନ ୪୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ ତେଲେଙ୍ଗାନା ଏବଂ ହାଇଦ୍ରାବାଦର ଥିବା କୁହାଯାଉଛି। ଦୁର୍ଘଟଣା ସମୟରେ ବସ୍ରେ ଅନେକ ଯାତ୍ରୀ ଶୋଇଥିଲେ। ଏହି କାରଣରୁ ଯାତ୍ରୀ ବାହାରକୁ ନଆସିପାରିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା କୁହାଯାଉଛି।
ବସ୍ ଦୁର୍ଘଟଣାକୁ ଦୃଷ୍ଟିରେ ରଖି, ଜେଦ୍ଦାହରେ ଥିବା ଭାରତୀୟ ଦୂତାବାସ ଏକ 24×7 ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରିଛି। ପ୍ରାସଙ୍ଗିକ ସୂଚନା ପାଇଁ ପରିବାର ସଦସ୍ୟମାନେ ଟୋଲ୍-ଫ୍ରି ନମ୍ବର 8002440003ରେ ଯୋଗାଯୋଗ କରିପାରିବେ।
