ଉଦ୍ରକ, ୨୦/୧୧: ବେଆଇନ ଗୋଚାଲାଣ ବେଳେ ଗାଡି ଓଲଟି ପଡି ୧୨ ଗୋରୁ ମୃତ୍ୟୁ ଘଟିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗେଲଟୁଆ ନିକଟରେ ବେଆଇନ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ପଡିଛି।
ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଆଗରପଡାରୁ ଏକ ପିକଅପ ଭ୍ୟାନ ବେଆଇନ ଭାବରେ ଭିତରେ ଚେମ୍ବର କରି ୧୭ଟି ଗୋରୁଙ୍କୁ ନେଇ ଭଦ୍ରକ ଅଭିମୁଖେ ଆସୁଥିଲା। କୌଣସି ସୂତ୍ରରୁ ଖବର ପାଇ ଗୋରକ୍ଷକମାନେ ଗାଡିକୁ ପିଛା କରିଥିଲେ।ଦ୍ରୁତ ଗତିରେ ଆସି ଗାଡ଼ିଟି ଓଲଟି ପଡିଥିଲା।
ଏଥିରେ ଥିବା ୧୭ଟି ଗୋରୁଙ୍କ ମଧ୍ୟରୁ ୧୨ଟି ଗୋରୁ ମରିଯାଇଥିଲେ। ଗୋରୁ ଗାଡ଼ିରେ ନିଆଁ ଲାଗିଯାଇଥିବା ଵେଳେ ଗାଡିଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଦୁଇଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ତଦନ୍ତ କରୁଛି। ଗୋରୁ ମରିଯିବା ଯୋଗୁ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।
