କନ୍ଧମାଳ, ୨୯/୧୧: ପ୍ରକୃତିର ନୈସର୍ଗିକ ଶୋଭାରାଜି ମଧ୍ୟରେ ଅବସ୍ଥିତ କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥିତ ବେଦବିଦ୍ଯା ଆର୍ଷଗୁରୁକୁଳମ୍, ତପୋବନ ଶାନ୍ତି ଆଶ୍ରମରେ ଏକ ଭକ୍ତିମୟ ତଥା ଦିବ୍ୟ ବାତାବରଣ ଦେଖିବାକୁ ମିଳିଛି। ନଗର ଖବର ପରିବାର ଓ ବେଦବିଦ୍ଯା ଆର୍ଷଗୁରୁକୁଳମ୍ ତପେବନ ଶାନ୍ତି ଆଶ୍ରମ ସୌଜନ୍ୟରୁ ଏଠାରେ ଏକ ଭବ୍ୟ ‘ଘୃତ ଯଜ୍ଞ’ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଆଧ୍ୟାତ୍ମିକ ଚେତନାର ଜାଗରଣ ହୋଇଥିଲା। ଏହି ମାଙ୍ଗଳିକ କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରାତଃକାଳର ବ୍ରାହ୍ମମୁହୂର୍ତ୍ତରୁ ହୋଇଥିଲା। ଆଶ୍ରମର ପବିତ୍ର ପରିବେଶରେ ପ୍ରଥମେ ଈଶ୍ୱର ଧ୍ୟାନ ଓ ଯୋଗାଭ୍ୟାସ କରାଯାଇଥିଲା। ଏହାପରେ ଭାରତୀୟ ସନାତନ ପରମ୍ପରା ଅନୁଯାୟୀ ଗୋ-ପୂଜା ଏବଂ ସୂର୍ଯ୍ୟ ପୂଜା ସମ୍ପନ୍ନ ହୋଇଥିଲା। ପ୍ରକୃତି ଓ ଈଶ୍ୱରଙ୍କ ଏହି ଆରାଧନା ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନରେ ଅପୂର୍ବ ଶାନ୍ତି ଭରିଦେଇଥିଲା।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପବିତ୍ର ଘୃତ ଯଜ୍ଞ। ଆଶ୍ରମର ପ୍ରାଚାର୍ଯ୍ୟ ବୈକୁଣ୍ଠ ସତ୍ୟାର୍ଥୀଙ୍କ ପୌରୋହିତ୍ୟରେ ଏହି ଯଜ୍ଞ ସମ୍ପାଦିତ ହୋଇଥିଲା। ଅଗ୍ନିଦେବଙ୍କ ଉଦ୍ଦେଶ୍ୟରେ ଘୃତ ଆହୁତି ଦେବା ସମୟରେ ବେଦ ମନ୍ତ୍ରର ଧ୍ୱନି ସମଗ୍ର ପରିବେଶକୁ ଶୁଦ୍ଧ ଓ ପବିତ୍ର କରିଦେଇଥିଲା। ଏହି ଅବସରରେ ଆଶ୍ରମର ଅନ୍ୟ ବାନପ୍ରସ୍ଥୀ ଶ୍ରୀ ରାମାନନ୍ଦ ଜୀ, ଶ୍ରୀ ଜଳନ୍ଧର ଜୀ ଏବଂ ଆଚାର୍ଯ୍ୟ ରଶ୍ମିଦେବ ଜୀ ଓ ଆଚାର୍ଯ୍ୟ ବେଦନିଷ୍ଠ ଜୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଗାମ୍ଭୀର୍ଯ୍ୟ ବୃଦ୍ଧି କରିଥିଲେ।

କେବଳ ଆଧ୍ୟାତ୍ମିକ ନୁହେଁ, ଶାରୀରିକ ସୁସ୍ଥତା ଉପରେ ମଧ୍ୟ ଗୁରୁକୁଳରେ ଗୁରୁତ୍ୱ ଦିଆଯାଉଥିବାର ଏକ ନିଦର୍ଶନ ଦେଖିବାକୁ ମିଳିଥିଲା। ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିବା ବ୍ରହ୍ମଚାରୀମାନେ ଅତି ଚମତ୍କାର ଭାବରେ ବ୍ୟାୟାମ କୌଶଳ ପ୍ରଦର୍ଶନ କରିଥିଲେ, ଯାହା ଉପସ୍ଥିତ ଅତିଥିମାନଙ୍କୁ ମୁଗ୍ଧ କରିଥିଲା।

ଏହି ପବିତ୍ର ଯଜ୍ଞରେ ‘ନଗର ଖବର’ର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ ଦାସଙ୍କ ସମେତ ବିଶିଷ୍ଟ ପରିବେଶବିଦ୍ ତଥା ଗୋ-ସେବକ ଓମ୍ ପ୍ରକାଶ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ନର୍ମଦା ମହାନ୍ତି ଏବଂ ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ସାହୁ ତାଙ୍କ ଧର୍ମପତ୍ନୀ ଶୁଶିଳା ସାହୁ ପ୍ରମୁଖ ଯୋଗଦେଇ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ। ସମସ୍ତେ ଆଶ୍ରମର ଶାନ୍ତ ଓ ନିରାମୟ ପରିବେଶରେ କିଛି ସମୟ ବିତାଇ ନିଜକୁ ଧନ୍ୟ ମନେ କରିଥିଲେ।
