ଏସ୍‌ଆଇ ସ୍କାମ୍ ମାମ୍ଲାରେ ଅରବିନ୍ଦ ଦାସକୁ ମାରାଥନ୍‌ ଜେରା

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର, ୨/୧୨:ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ଗିରଫ ଦଲାଲ ଅରବିନ୍ଦ ଦାସକୁ ଦୁଇଦିନିଆ ରିମାଣ୍ଡରେ ଆଣିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ସିବିଆଇ ଅଭିଯୁକ୍ତ ଅରବିନ୍ଦ ଦାସଙ୍କୁ ମାରାଥନ୍ ଜେରା କରୁଛି। ଜେରା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଛି। ରାଜ୍ୟ ବାହାରର ଲିଙ୍କ୍ ଖୋଜି ପାଇଛି ସିବିଆଇ।ସୂଚନା ମୂତାବକ ଅରବିନ୍ଦକୁ ତିନି ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା। ଅଦାଲତ ଦୁଇଦିନ ଲାଗି ଅନୁମତି ଦେଇଛନ୍ତି। ଆସନ୍ତା ୩ ତାରିଖ ଅପରାହ୍ଣ ପର୍ଯ୍ୟନ୍ତ ‌ସେ ସିବିଆଇର ହେପାଜତରେ ରହିବ। କୋଲକାତା ଦିଘାରେ ହେବାକୁ ଥିବା ପରୀକ୍ଷାର ଅରବିନ୍ଦ ଥିଲା ମୁଖ୍ୟ ଦଲାଲ। ଦିଘାରେ ପରୀକ୍ଷା ଦେବାକୁ ଚୁକ୍ତି କରିଥିବା ୧୧୦ ପରୀକ୍ଷାର୍ଥୀଙ୍କ ହୋଟେଲ୍‌ ବୁକିଂ କରି ରହଣି ଓ ମନ୍ଦିରରେ ଖାଇବା ବ୍ୟବସ୍ଥା ଅରବିନ୍ଦ ବୁଝୁଥିଲା।

ସେ ପରୀକ୍ଷାର୍ଥୀଙ୍କୁ ଯୋଗାଡ଼ କରିବା ସହ ଟଙ୍କା ଡିଲ୍‌ରେ ମୁଖ୍ୟ ଭୂମିକା ନେଇଥିଲା। ପରୀକ୍ଷାର୍ଥୀଙ୍କ ସହ ସେ ନିୟମିତ ଯୋଗାଯୋଗ କରିବା ସହ ପ୍ରଶ୍ନପତ୍ର ପ୍ରଦାନ କରୁଥିଲା। ଏହା ବଦଳରେ ପରୀକ୍ଷାର୍ଥୀଙ୍କଠାରୁ ସେମାନଙ୍କ ଅସଲ ଶିକ୍ଷାଗତ ପ୍ରମାଣପତ୍ର ଏବଂ ବ୍ଲାଙ୍କ ଚେକ୍ ସଂଗ୍ରହ କରୁଥିଲା। ସେ ଯୋଗାଡ଼ କରିଥିବା ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କ ସହ ଅରବିନ୍ଦର ସାମ୍ନାସାମ୍ନି ଜେରା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ପୂର୍ବରୁ ଲୋକନାଥ ସାହୁ, ତଫିମ ଅହମ୍ମଦ ଖାନ, ବିଶ୍ବଜିତ ହରିଚନ୍ଦନ ଓ ବିଶ୍ବରଞ୍ଜନ ବେହେରାଙ୍କୁ ରିମାଣ୍ଡରେ ଆଣି ଜେରା କରାଯାଇଥିଲା। ଏବେ ଅରବିନ୍ଦକୁ ରିମାଣ୍ଡରେ ଅଣାଯାଇଛି। ଆଗକୁ ଶଙ୍କର ପୃଷ୍ଟି, ସୁରେଶ ନାୟକ, ମୁନା ମହାନ୍ତି, ପ୍ରିୟଦର୍ଶିନୀ ସାମଲ, ଏ. ଅଭିମନ୍ୟୁ ଦୋରା, ଶ୍ରୀକାନ୍ତ ମହାରଣା, ସାଗର କୁମାର ଗୌଡ଼ଙ୍କୁ ରିମାଣ୍ଡ‌ରେ ଅଣାଯିବ।

Leave a Reply

Your email address will not be published. Required fields are marked *