ଶାଶୂ ମାଡ଼ରେ ଗର୍ଭସ୍ଥ ସନ୍ତାନ ନଷ୍ଟ ସହ ମାଆ ମୃତ

ଅପରାଧ କେନ୍ଦ୍ରାପଡ଼ା ରାଜ୍ୟ
Spread the love

ମହାକାଳପଡ଼ା, ୪/୧୨: ଯୌତୁକ ପାଇଁ ଜଣେ ନବବଧୂଙ୍କୁ ଶାଶୂଘର ପକ୍ଷରୁ ଅକଥନୀୟ ନିର୍ଯାତନା ଦିଆଯାଉଥିବାବେଳେ ଶାଶୂ ମାଡ଼ରେ ଗର୍ଭସ୍ଥ ସନ୍ତାନର ମୃତ୍ୟୁ ହେବା ନେଇ ମହିଳାଙ୍କ ବାପଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ହରିଆବାଙ୍କ ଗ୍ରାମର ସହଦେବ ଆଡ଼ିଙ୍କ ଝିଅ ମଞ୍ଜୁ ଆଡ଼ି ବତିଘର ପଞ୍ଚାୟତ କୋଚିଳା ବେଲାରୀ ଗ୍ରାମର ଗୋବିନ୍ଦ ଗିରିଙ୍କ ପୁଅ ତାପସ ଗିରିଙ୍କୁ ବିବାହ କରିଥିଲେ। ବିଭାଘରର ୬ ମାସ ପରେ ମଞ୍ଜୁଙ୍କୁ ଯୌତୁକ ପାଇଁ ଶାଶୂ ଓ ପରିବାର ଲୋକେ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ ଆସୁଥିଲେ।

ଯୌତୁକ ବାବଦ ସୁନା ଅଳଙ୍କାର ଓ ନଗଦ ଟଙ୍କା ଆଣିବା ପାଇଁ ସେମାନେ ବାଧ୍ୟ କରୁଥିଲେ। ଏପରିକି ଗର୍ଭବତୀ ଅବସ୍ଥାରେ ଝିଅକୁ ଶାଶୂ ମାଡ଼ମାରିବା ଦ୍ୱାରା ତା’ର ଗର୍ଭସ୍ଥ ସନ୍ତାନ ନଷ୍ଟ ହେବା ନେଇ ବାପା ସହଦେବ ଆଡ଼ି ଅଭିଯୋଗ କରିଛନ୍ତି। ଝିଅ ଗର୍ଭ ଯନ୍ତ୍ରଣା ପାଇ ବତିଘର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲା। ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଶାଶୂଘର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌‌ରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନଭେମ୍ବର ୨୫ ତାରିଖରେ ମଞ୍ଜୁର ମୃତ୍ୟୁ ହୋଇଯାଇଥିଲା। ମଞ୍ଜୁଙ୍କ ମୃତ୍ୟୁ ନେଇ ବାପଘରକୁ ନ ଜଣାଇ ମୃତଦେହକୁ ଶାଶୂଘର ଲୋକେ ଦାହସଂସ୍କାର କରିଦେଇଥିଲେ।

ଝିଅକୁ ଶାଶୂଘର ଲୋକେ ମାରିଦେଇଥିବା ନେଇ ନଭେମ୍ବର ୨୭ ତାରିଖରେ ଜମ୍ବୁ ଥାନାରେ ମଞ୍ଜୁର ବାପା ସହଦେବ ଆଡ଼ି ଅଭିଯୋଗ କରିବା ପରେ ସାଇଣ୍ଟିଫିକ୍‌‌ ଟିମ୍‌‌ ସଂସ୍କାର ସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି। ଏ ସମ୍ପର୍କରେ ଜମ୍ବୁ ଆଇଆଇସି ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ପଚାରିବାରୁ ଅଭିଯୋଗ ପାଇବା ପରେ ମାମଲା ରୁଜୁ ହୋଇଛି। ତଦନ୍ତ ଚାଲୁ ରହିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *