କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ‘ଦ୍ୱୈତ ନଗରୀ ଓଁକାର ସ୍ୱରୂପ ମହୋତ୍ସବ’ ଅନୁଷ୍ଠିତ: ଶ୍ରେଷ୍ଠ କ୍ଲବ ଓ ପୂଜା କମିଟି ସମ୍ମାନିତ

ରାଜ୍ୟ
Spread the love

କଟକ  : କଟକ ନୂଆପଡ଼ାସ୍ଥିତ କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୧୧୧ ତମ ଅଧ୍ୟାୟରେ ‘ଦ୍ୱୈତ ନଗରୀ ଓଁକାର ସ୍ୱରୂପ ମହୋତ୍ସବ’ ବେଶ୍ ଧୂମଧାମ ଓ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। କଟକ ଓ ଭୁବନେଶ୍ୱରର ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ମହୋତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ପ୍ରମୁଖ କ୍ଲବ ଏବଂ ପୂଜା କମିଟି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ନିଜସ୍ୱ କଳା, ମୌଳିକ ସୃଜନଶୀଳତା, ମନଲୋଭା ସାଜସଜ୍ଜା ତଥା ଆକର୍ଷଣୀୟ ତୋରଣ ନିର୍ମାଣ କରିଥିବା ଶ୍ରେଷ୍ଠ କ୍ଲବ ଓ କମିଟିଗୁଡ଼ିକୁ ମଞ୍ଚରେ ପ୍ରତିଷ୍ଠିତ “ଦ୍ୱୈତ ନଗରୀ ଓଁକାର ସ୍ୱରୂପ ସମ୍ମାନ” ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ରହ୍ମାନନ୍ଦ ମହାନ୍ତି, ସଂଜୋଜ ସାମନ୍ତରାୟ, ରାଜକିଶୋର ସ୍ୱାଇଁ ଏବଂ ବରିଷ୍ଠ କବି ବଂଶୀଧର ମହାପାତ୍ର ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ସାମାଜିକ ଏକତା ଏବଂ ଓଡ଼ିଆ କଳା-ସଂସ୍କୃତିର ସୁରକ୍ଷା ଦିଗରେ କୈବଲ୍ୟ ସଂସଦର ଏହି ନିରନ୍ତର ପ୍ରୟାସକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ।

ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ବିଭିନ୍ନ କ୍ଲବର ସଭାପତି ଓ ସମ୍ପାଦକମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସୁବିଧା-ଅସୁବିଧା ସମ୍ପର୍କରେ ବୁଝିଥିଲେ। ଉତ୍ସବ ଅବସରରେ ପ୍ରତ୍ୟେକ ମଣ୍ଡପରେ ମଙ୍ଗଳ ଆଳତୀ ସହ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ବିଶ୍ୱ କଲ୍ୟାଣ କାମନା କରାଯାଇଥିଲା। ପରିଶେଷରେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

Leave a Reply

Your email address will not be published. Required fields are marked *