ପ୍ରଫେସର ଗଣେଶ୍ଵର ଦାଶଙ୍କୁ ‘ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ’ ପକ୍ଷରୁ ସମ୍ବର୍ଦ୍ଧନା

ରାଜ୍ୟ
Spread the love

କଟକ  : କଟକ ସଦର ବ୍ଲକ ଅନ୍ତର୍ଗତ ବୟାଳିଶ ମୌଜା ସ୍ଥିତ ସୁଦର୍ଶନ ଡିଗ୍ରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଗଣେଶ୍ଵର ଦାଶଙ୍କୁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ପ୍ରଫେସର ଦାଶଙ୍କ ଦଧିବାମନପୁରସ୍ଥିତ ବାସଭବନରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବକ୍ତାମାନେ ଯୋଗଦେଇ କହିଥିଲେ ଯେ, ପ୍ରଫେସର ଦାଶ କେବଳ ଜଣେ ଆଦର୍ଶ ଶିକ୍ଷାବିତ୍ ନୁହନ୍ତି, ବରଂ ଜଣେ ନିଷ୍ଠାପର ସମାଜସେବୀ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଭାବେ ଅଞ୍ଚଳରେ ସୁପରିଚିତ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମହାବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହିତ ଭିତ୍ତିଭୂମିର ଉଲ୍ଲେଖନୀୟ ଉନ୍ନତି ସାଧିତ ହୋଇପାରିଛି। ସମ୍ବର୍ଦ୍ଧନା ଗ୍ରହଣ କରି ପ୍ରଫେସର ଦାଶ ନିଜ ପ୍ରତିକ୍ରିୟାରେ ଏଭଳି ସମ୍ମାନ ପାଇଁ ଗୌରବାନ୍ୱିତ ମନେ କରିବା ସହ ଅନୁଷ୍ଠାନର ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଗ୍ରାମ ଅଧିକାରୀ କୃଷ୍ଣଚନ୍ଦ୍ର ଦାଶ, ଗ୍ରାମ ମହନ୍ତ ଦୁର୍ଯ୍ୟୋଧନ ପଣ୍ଡା, ଡ. ସେକ୍ କଲିମୁଲ୍ଲା, ସତ୍ୟନାରାୟଣ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ରସାନନ୍ଦ ମହାପାତ୍ର, କନ୍ଦରପୁର ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରିନ୍ସିପାଲ ପ୍ରଫେସର ଖଲିକୁଜ ଜମାନ ଖାଁ, ସାମ୍ବାଦିକ ଦୀପକ କୁମାର ଆଚାର୍ଯ୍ୟ, ଚନ୍ଦନ ମହାନ୍ତି, ଅଫସର ଅଲ୍ଲୀ ଖାଁ ଏବଂ ପ୍ରଫେସର ଦାଶଙ୍କ ଧର୍ମପତ୍ନୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।

ମିର୍ଜା ସରାଫତ ହୁସେନ ବେଗ୍ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଞ୍ଚାଳନ କରିଥିବା ବେଳେ ପ୍ରତିଷ୍ଠାନର ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

Leave a Reply

Your email address will not be published. Required fields are marked *