ଯଶପଡା ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ରାଜ୍ୟ
Spread the love

କଟକ ସଦର : କଟକ ଜିଲ୍ଲା କଟକ ସଦର ଅନ୍ତର୍ଗତ ଯଶପଡା ପଞ୍ଚାୟତରେ ଶୁକ୍ରବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ହୋଇଛି। କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏହି ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ଉଦ୍‌ଘାଟନ କରିଥିବା ଜଣାଯାଇଛି। ଉଦ୍‌ଘାଟିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଯଶପଡା କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ଓ ହାଟ ପିଣ୍ଡି ରହିଥିବା ବେଳେ କୋସିଦା ଅଞ୍ଚଳରେ ଡ୍ରେନ୍ ଓ ସୁଭଦ୍ରା ଗୋଷ୍ଠୀ କେନ୍ଦ୍ର, ପାଇକ ସାହି ଆଦର୍ଶ ଗ୍ରାମରେ ଢଳେଇ ରାସ୍ତା, ନୂଆଗାଁରେ ଅଙ୍ଗନବାଡି କେନ୍ଦ୍ର ଓ ଭୋଗମଣ୍ଡପ ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଭିନ୍ନ ଭାବେ ଉପକୃତ ହେବେ ବୋଲି କୁହାଯାଇଛି। ଏହି ଅବସରରେ ଯଶପଡା କଲ୍ୟାଣ ମଣ୍ଡପଠାରେ ଏକ ସଭା ଆୟୋଜିତ ହୋଇଥିଲା।

କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୌରୋହିତ୍ୟରେ ଏବଂ ସୁଦାମବତୀ ବିଜେପି ମଣ୍ଡଳ ସଭାପତି ରଘୁନାଥ ଚୌଧୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଯୋଗଦେଇଥିଲେ। ସଭାରେ ବିଡିଓ ପ୍ରତୀକ ସାହୁ, ସରପଞ୍ଚ ମିନତୀ ସେଠୀ, ପୂର୍ବତନ ସରପଞ୍ଚ ବିରଞ୍ଚିନାରାୟଣ ପଣ୍ଡା, ସମିତି ସଭ୍ୟା ପୁଷ୍ପଲତା ପଣ୍ଡା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଚରଣ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥିମାନେ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ମତବ୍ୟକ୍ତ କରିବା ସହ ଆଗାମୀ ଦିନରେ ଅଞ୍ଚଳର ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏକାଧିକ ପ୍ରକଳ୍ପ ଉଦ୍‌ଘାଟନ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିଲା। ଦୀର୍ଘଦିନ ଧରି ଆବଶ୍ୟକ ଥିବା ରାସ୍ତା, ଡ୍ରେନ୍, ଅଙ୍ଗନବାଡି କେନ୍ଦ୍ର, ଗୋଷ୍ଠୀ କେନ୍ଦ୍ର ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବା ଦ୍ୱାରା ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନଯାପନରେ ସୁବିଧା ହେବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *