କଟକ : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ କଟକର ଐତିହାସିକ ଗଡ଼ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ୧୧୨ତମ ରାଜ୍ୟସ୍ତରୀୟ ‘ନୂଆଁଖାଇ ସ୍ୱର ସୃଜନ ମହୋତ୍ସବ’ ବେଶ୍ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ୧୧ତମ ବାର୍ଷିକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସାହିତ୍ୟ ପତ୍ରିକା ‘ନୂଆଁଖାଇ ସ୍ୱର ସୃଜନ’ ଉନ୍ମୋଚିତ ହୋଇଛି।
କାର୍ଯ୍ୟକ୍ରମକୁ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ମହେଶ୍ୱର ମହାନ୍ତି ଉଦ୍ଘାଟନ କରି କୈବଲ୍ୟ ସାହିତ୍ୟ ସଂସଦକୁ ସାହିତ୍ୟ ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟ ବୋଲି ଅଭିହିତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ପ୍ରଭାସ ଆଚାର୍ଯ୍ୟ ନୂଆଁଖାଇର ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିବା ବେଳେ, ମୁଖ୍ୟ ବକ୍ତା ଡ. ସୁନାମଣି ରାଉତ କହିଥିଲେ ଯେ ନୂଆଁଖାଇ ଆଗାମୀ ଦିନରେ ସମଗ୍ର ଓଡ଼ିଶାର ଏକ ପ୍ରମୁଖ ଗଣପର୍ବ ଭାବେ ଆହୁରି ବ୍ୟାପକ ରୂପ ନେବ। ଅନୁଷ୍ଠାନର ପ୍ରତିଷ୍ଠାତା ଡ. ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରି ନୂଆଁଖାଇକୁ ଓଡ଼ିଆ ଜାତିର ସାଂସ୍କୃତିକ ଅସ୍ମିତା ବୋଲି ବର୍ଣ୍ଣନା କରିଥିଲେ।
ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ବିଶିଷ୍ଟ ଗାନ୍ଧୀବାଦୀ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଡ. ଦୀପାୟନ ପଟ୍ଟନାୟକ, କବି ପ୍ରେମଚାନ୍ଦ ମହାନ୍ତି, ଲକ୍ଷ୍ମୀ ପ୍ରସାଦ ଆଚାର୍ଯ୍ୟ, ଚୈତନ୍ୟ ପ୍ରସାଦ ରାଉତ, ସଂଯୋଜ୍ ସାମନ୍ତରାୟ, ବଂଶୀଧର ମହାପାତ୍ର, ରମେଶ ଚନ୍ଦ୍ର ନାୟକ, ସୂର୍ଯ୍ୟକାନ୍ତ ଦାସ ମହାପାତ୍ର, ଡ. ବିଶ୍ୱଜିତ୍ କେଶରୀ ବିଶ୍ୱାଳ, ଡ. ପ୍ରଣତି ରାଉତ, ସୁଭବ୍ରତ ମହାପାତ୍ର, ସୁରଭି ଦ୍ୱିବେଦୀ, କବି ଉତ୍ତମ ଚରଣ ପ୍ରଧାନ, କବି ସୁରେନ୍ଦ୍ର ମହାପାତ୍ର, କବି ରାଜ କିଶୋର ସ୍ୱାଇଁ ଏବଂ ଡ. ଅରୂପ ମାର୍ଥା ଯୋଗଦେଇ ନୂଆଁଖାଇର ବିଧିବିଧାନ ଓ ମହାନତା ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ଅତିଥିମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହ ଏକ ଭାବପୂର୍ଣ୍ଣ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ କବୟତ୍ରୀ ଡ. ଗୀତାଞ୍ଜଳି ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
